Unknown

 

 

 

 

 

 

 

 

ଜନ-ନାୟକ

ଇମନ୍‌ ଡି. ଭେଲେରା

 

ଲେଖକ

ପଣ୍ଡିତ ଲିଙ୍ଗରାଜ ମିଶ୍ର

 

ଡି. ଭେଲେରା

 

ଭାରତବର୍ଷ ପରି ଆୟର୍‌ଲାଣ୍ଡର ଦେଶୀୟ ରାଜାମାନେ ଗୃହବିବାଦରେ ବୈଦେଶିକ ସାହାଯ୍ୟ ଲୋଡ଼ି ପ୍ରଥମେ ଇଂରେଜମାନଙ୍କ ହାତରେ ନିଜର ସ୍ୱାଧୀନତାକୁ ସମର୍ପଣ କରି ଦେଇଥିଲେ । ଦ୍ୱାଦଶ ଶତାବ୍ଦୀରେ ସମଗ୍ର ଆୟର୍‌ଲାଣ୍ଡ କେତେଗୁଡ଼ିଏ କେଲ୍‌ଟିକ୍‌ ରାଜ୍ୟରେ ବିଭକ୍ତ ଥିଲା । ଏ ସମଗ୍ର ସାମନ୍ତ ରାଜାମାନଙ୍କ ଉପରେ ଜଣେ ପ୍ରଧାନରାଜା ଥିଲେ । ମାତ୍ର ସବୁ ସାମନ୍ତ ରାଜାମାନେ ସବୁବେଳେ ତାଙ୍କର କର୍ତ୍ତୃତ୍ୱ ସ୍ୱୀକାର କରୁ ନଥିଲେ । ୧୧୫୨ ଖ୍ରୀଷ୍ଟାବ୍ଦରେ ଆୟର୍‌ଲାଣ୍ଡର ପ୍ରଧାନ ରାଜା ଓ ଜଣେ ସାମନ୍ତ ରାଜାଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହେଲା ତହିଁରେ ସାହାଯ୍ୟ କରିବାପାଇଁ ଉକ୍ତ ସାମନ୍ତ ରାଜାଙ୍କଦ୍ୱାରା ଆହୂତ ହୋଇ ଇଂରେଜମାନେ ପ୍ରଥମେ ଆୟର୍‌ଲାଣ୍ଡରେ ପଦାର୍ପଣ କରିଥିଲେ । ସେହିଦିନଠାରୁ କ୍ରମେ ଆୟର୍‌ଲାଣ୍ଡରେ ଇଂରେଜ ଆଧିପତ୍ୟ ବଢ଼ିବାକୁ ଲାଗିଲା ଏବଂ ଶେଷରେ ଇଂଲଣ୍ଡର ରାଜା ଅଷ୍ଟମ ହେନେରୀ ନିଜକୁ ଆୟର୍‌ଲାଣ୍ଡର ରାଜା ବୋଲି ଘୋଷଣା କରିଥିଲେ । ଆୟର୍‌ଲାଣ୍ଡ ଇଂରେଜ ଶାସନାଧୀନକୁ ଆସିବାର ପ୍ରାୟ ଏକ ଶତାବ୍ଦୀ ମଧ୍ୟରେ ପରାଧୀନତାର ନିର୍ଯ୍ୟାତନା ଓ ଉତ୍ପୀଡ଼ନ ଆସ୍ୱାଦନ କରିବା ପରେ ଆୟର୍‌ଲାଣ୍ଡବାସୀଙ୍କ ଭିତରେ ଇଂରେଜଶାସନ ପ୍ରତି ବିରୋଧଭାବ ଜାତ ହେଲା । ଆଇରିସ୍‌ମାନେ ରୋମାନ୍‌କ୍ୟାଥଲିକ ଧର୍ମାବଲମ୍ୱୀ । ଇଂଲଣ୍ଡରେ ରୋମାନ୍‌କ୍ୟାଥଲିକ୍‌ ଏବଂ ପ୍ରୋଟେଷ୍ଟାଣ୍ଟ ଏହି ଉଭୟ ଖ୍ରୀଷ୍ଟାନ୍‌ ସମ୍ପ୍ରଦାୟ ମଧ୍ୟରେ ବହୁକାଳ ଘୋର ବିବାଦ ଲାଗି ଶେଷରେ ଯେତେବେଳେ ପ୍ରୋଟେଷ୍ଟାଣ୍ଟ ଧର୍ମ ଇଂଲଣ୍ଡର ରାଜାଙ୍କଦ୍ୱାରା ଦେଶର ରାଜକୀୟ ଧର୍ମରୂପେ ଗୃହୀତ ହେଲା, ସେହି ସମୟରୁ ଇଂଲଣ୍ଡ ଏବଂ ଆୟର୍‌ଲାଣ୍ଡ ମଧ୍ୟରେ ଜାତିଗତ ଭେଦଭାବ ଧର୍ମଭେଦଦ୍ୱାରା କ୍ରମେ ଅଧିକ ଉଦ୍ଦୀପିତ ହୋଇ ଉଠିଲା । କ୍ରମ୍‌ୱେଲଙ୍କ ସମୟରେ ଇଂଲଣ୍ଡ ଓ ଆୟର୍‌ଲାଣ୍ଡ ଭିତରେ ଗୁରୁତର ଲଢ଼େଇ ଲାଗିଯାଇଥିଲା । କ୍ରମ୍‌ୱେଲ୍‌ ଏ ଯୁଦ୍ଧରେ ଆଇରିସ୍‌ମାନଙ୍କୁ ପରାସ୍ତ କରି ଉତ୍ତର ଆୟର୍‌ଲାଣ୍ଡର ଛଅଗୋଟି କାଉଣ୍ଟି ବା ବିଭାଗରୁ କ୍ୟାଥଲିକ୍ ଧର୍ମାବଲମ୍ବୀ ଆଇରିସ୍ ଅଧିବାସୀମାନଙ୍କୁ ସମ୍ପୂର୍ଣ୍ଣ ବହିଷ୍କୃତ କରିଦେଲେ ଏବଂ ସେସବୁ ଅଞ୍ଚଳରେ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ୱୀ ଇଂରେଜ ଓ ସ୍କଟଲାଣ୍ଡର ଲୋକଙ୍କୁ ନେଇ ବସତି ସ୍ଥାପନ କରାଇଲେ । ଆୟର୍‌ଲାଣ୍ଡର ଏହି ଇଂରେଜ ଅଧ୍ୟୁଷିତ ଉତ୍ତରାଞ୍ଚଳ ବର୍ତ୍ତମାନ ଅଲ୍‌ଷ୍ଟର୍‌ ନାମରେ ଅଭିହିତ । ଅଷ୍ଟାଦଶ ଶତାବ୍ଦୀରେ ଆୟର୍‌ଲାଣ୍ଡବାସୀଙ୍କର ଜାତୀୟ ଆନ୍ଦୋଳନ ଫଳରେ ବ୍ରିଟିଶ ପାର୍ଲିଆମେଣ୍ଟ ଅଧୀନରେ ଆୟର୍‌ଲାଣ୍ଡ ପାଇଁ ଗୋଟିଏ ସ୍ୱତନ୍ତ୍ର ପାର୍ଲିଆମେଣ୍ଟ ପ୍ରତିଷ୍ଠିତ ହୋଇଥିଲା । ୧୮୦୦ ଖ୍ରୀଷ୍ଟାବ୍ଦରେ ଏହି ସ୍ୱତନ୍ତ୍ର ଆଇରିସ୍‌ ପାର୍ଲିଆମେଣ୍ଟର ଅସ୍ତିତ୍ୱ ଲୋପ କରାଯାଇ ତାହାକୁ ବ୍ରିଟିଶ ପାର୍ଲିଆମେଣ୍ଟର ସାମିଲ କରିଦିଆଯାଇଥିଲା । ଇଂରେଜ ଜମିଦାର ଓ ମାଲିକମାନଙ୍କ ଉତ୍‌ପୀଡ଼ନରେ ଆୟର୍‌ଲାଣ୍ଡର ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା କ୍ରମେ ଅଧିକ ଶୋଚନୀୟ ହୋଇ ପଡ଼ିଲା । ଊନବିଂଶ ଶତାବ୍ଦୀ ବେଳକୁ ଆୟର୍‌ଲାଣ୍ଡର ପ୍ରାୟ ସମସ୍ତ ଭୂସମ୍ପତ୍ତି ଇଂରେଜ ଡିଉକ୍‌ ଏବଂ ଜମିଦାରମାନଙ୍କ କରାୟତ୍ତ ହୋଇଥିଲା । ଆୟର୍‌ଲାଣ୍ଡବାସୀ କେବଳ ଅଧସ୍ତନ ରୟତରୂପେ ସେସବୁ ଜମି ଚଷି ବିଦେଶୀ ମାଲିକଙ୍କୁ ଅଜସ୍ର ସଞ୍ଜା, ରାଜସ୍ୱ ଓ ତଣ୍ଡ ଗଣୁଥିଲେ । ଫସଲହାନି ବା ଅନ୍ୟ କୌଣସି କାରଣରୁ ଯଥାସମୟରେ ବିଦେଶୀ ଜମିଦାରଙ୍କ ଦେୟ ଦେଇ ନ ପାରିଲେ ସଙ୍ଗେ ସଙ୍ଗେ ଆଇରିସ୍‌ କୃଷକକୁ ଉକ୍ତ ଜମିରୁ ବେଦଖଲ କରି ଦାଣ୍ଡର ଭିକାରି କରି ଦିଆ ହେଉଥିଲା । ପ୍ରଜାର ଲାଭ ବା ସ୍ୱାର୍ଥ ପ୍ରତି କୌଣସି ଦୃଷ୍ଟି ନଦେଇ ଜମିଦାରର ନିର୍ଦ୍ଦେଶମତେ ତାହାକୁ କେତେକ ନିର୍ଦ୍ଦିଷ୍ଟ ଫସଲ ମାତ୍ର କରିବାକୁ ବାଧ୍ୟ କରାହେଉଥିଲା । ଊନବିଂଶ ଶତାବ୍ଦୀରେ ଏସବୁ ଅତ୍ୟାଚାର ଓ ଉତ୍ପୀଡ଼ନ ଅସହ୍ୟ ହେବାରୁ ଲକ୍ଷ ଲକ୍ଷ ଆୟର୍‌ଲାଣ୍ଡବାସୀ ନିଜ ଦେଶ ଛାଡ଼ି ସୁଦୂର ଆମେରିକାକୁ ପଳାଇ ଯାଇଥିଲେ । ଊନବିଂଶ ଶତାବ୍ଦୀର ଶେଷଭାଗକୁ ଜାତୀୟବାଦୀ ଆଇରିସ୍‌ମାନଙ୍କ ମଧ୍ୟରେ ଆୟର୍‌ଲାଣ୍ଡର ସ୍ୱାଧୀନତା ଆନ୍ଦୋଳନର ତୀବ୍ରତା କ୍ଷିପ୍ରଗତିରେ ବୃଦ୍ଧି ପାଇଲା । ଇଂରେଜ ଓ ଆଇରିସ୍‌ ଉଭୟ ପ୍ରତିବେଶୀ ଜାତି ମଧ୍ୟରେ ବନ୍ଧୁତା ଓ ସୌହାର୍ଦ୍ଦ୍ୟ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ୧୮୯୩ ସାଲରେ ବ୍ରିଟଶ ପାର୍ଲିଆମେଣ୍ଟର ଲିବରାଲ ବା ମାନ୍ଦାଦଳିଆ ପ୍ରଧାନ ମନ୍ତ୍ରୀ ଗ୍ଳାଡ଼ଷ୍ଟୋନ୍‌ ପ୍ରଥମ ‘ଆଇରିସ୍‌ ହୋମ’ ବିଲ୍‌ ପାର୍ଲିଆମେଣ୍ଟରେ ଆଗତ କରିଥିଲେ; ମାତ୍ର ସଂକୀର୍ଣ୍ଣ ସ୍ୱାର୍ଥାନ୍ୱେଷୀ ଜାଠଦଳର ରାଜନୀତିକମାନଙ୍କ ଚକ୍ରାନ୍ତ ଓ ତୁମୁଳ ବିରୋଧ ଫଳରେ ତାହା ପାର୍ଲିଆମେଣ୍ଟରେ ଗୃହୀତ ହୋଇପାରିଲା ନାହିଁ ଏବଂ ଗ୍ଳାଡ଼୍‌ଷ୍ଟୋନଙ୍କ ଲିବରାଲ ଦଳିଆ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ।

 

ଏହିଭାବରେ ସାମ୍ରାଜ୍ୟବାଦୀ ଇଂରେଜ ଶାସକଗୋଷ୍ଠୀଙ୍କ ବିରୋଧ ଫଳରେ ଆୟର୍‌ଲାଣ୍ଡରେ ଜାତୀୟବାଦୀମାନଙ୍କର ସ୍ୱାଧୀନତା ଆନ୍ଦୋଳନ କ୍ରମେ ଅଧିକ ଶକ୍ତି ଓ ପ୍ରଭାବ ଲାଭକଲା । ସାମ୍ରାଜ୍ୟବାଦୀ ଇଂରେଜ କୂଟନୀତିକମାନେ ଉତ୍ତର ଆୟର୍‌ଲାଣ୍ଡ ବା ଅଲ୍‌ଷ୍ଟରର ଇଂରେଜ ଅଧିବାସୀମାନଙ୍କୁ ମତାଇ ଆୟର୍‌ଲାଣ୍ଡ ସ୍ୱାଧୀନତା ଆନ୍ଦୋଳନର ପ୍ରତ୍ୟକ୍ଷ ବିରୋଧ ସୃଷ୍ଟି କରାଇଲେ । ଏହି ସମସ୍ତ ସ୍ୱାର୍ଥଚାଳିତ ଷଡ଼ଯନ୍ତ୍ରର ପ୍ରତିକ୍ରିୟା ସ୍ୱରୂପ ଆୟର୍‌ଲାଣ୍ଡବାସୀଙ୍କ ମଧ୍ୟରେ ଇଂରେଜ ସାମ୍ରାଜ୍ୟ ପ୍ରତି ବିପ୍ଳବ ଓ ବିଦ୍ରୋହଭାବ ଦିନକୁଦିନ ଅତି ଉତ୍କଟ ହୋଇ ଉଠିଲା । ଆୟର୍‌ଲାଣ୍ଡର ବିପ୍ଳବୀ ଜାତୀୟବାଦୀମାନେ ସେ ଦେଶର ଅପ୍ରତିଦ୍ୱନ୍ଦୀ ଜନନାୟକ ଡି. ଭେଲେରା ଏବଂ ଆର୍ଥର ଗ୍ରିଫ୍‍ଥସ୍‍ ପ୍ରଭୃତିଙ୍କ ନେତୃତ୍ୱରେ ପରିଚାଳିତ ହୋଇ ‘ଆଇରିସ୍‌ ରିପବ୍ଳିକାନ୍‌ ଆର୍ମି’ ନାମରେ ଏକ ସ୍ୱେଚ୍ଛାସେବକ ଦଳ ଗଠନ କଲେ । ସହସ୍ର ସହସ୍ର ଜାତୀୟବାଦୀ ଆଇରିସ୍‌ ଯୁବକ ଏହି ସ୍ୱେଚ୍ଛାସେବକ ବାହିନୀରେ ଯୋଗଦେଇ ପ୍ରତିହିଂସା ସ୍ୱରୂପ ଇଂରେଜ ଶାସକଗୋଷ୍ଠୀ ଓ ସେମାନଙ୍କ ସହାନୁଭୂତିକାରୀମାନଙ୍କୁ ନିର୍ମମଭାବରେ ହତ୍ୟା କରିବାକୁ ଲାଗିଲେ । ଇଂରେଜ ଶାସକଗୋଷ୍ଠୀ ମଧ୍ୟ ସେମାନଙ୍କ ଚିରାଚରିତ ନୃଶଂସ ଦମନନୀତି ପ୍ରୟୋଗ କରି ଶତଶତ ସହସ୍ର ସହସ୍ର ସଂଖ୍ୟାରେ ସ୍ୱଦେଶପ୍ରେମୀ ଆଇରିସ୍‌ ଯୁବକଙ୍କୁ ହତ୍ୟା କଲେ । ଉଭୟ ପକ୍ଷରୁ ଏହି ହତ୍ୟାକାଣ୍ଡ କିଛିଦିନ ଚାଲିବା ପରେ ଏବେ ଡି. ଭେଲେରାଙ୍କ ବଳିଷ୍ଠ ନେତୃତ୍ୱରେ ସାର୍ଦ୍ଧସପ୍ତ ଶତାବ୍ଦୀବ୍ୟାପୀ ସ୍ୱାଧୀନତା ଆନ୍ଦୋଳନର ପରିଣତି ସ୍ୱରୂପ ଆୟର୍‌ଲାଣ୍ଡ ନିଜର ପୂର୍ଣ୍ଣ ସ୍ୱାଧୀନତା ଲାଭ କରିଅଛି । ଆଇରିସ୍‌ ଗଣତନ୍ତ୍ରର ପ୍ରେସିଡେଣ୍ଟ ରୂପେ ଡି. ଭେଲେରା ବର୍ତ୍ତମାନ ଆୟର୍‌ଲାଣ୍ଡକୁ ବ୍ରିଟିଶ ଦାସତ୍ୱକବଳରୁ ସମ୍ପୂର୍ଣ୍ଣ ମୁକ୍ତ କରି ପୃଥିବୀର ଏକ ଶକ୍ତିଶାଳୀ ସ୍ୱାଧୀନ ଗଣତନ୍ତ୍ରରୂପେ ଆଇରିସ୍‌ ଜାତିକୁ ସର୍ବତୋମୁଖୀ ପ୍ରଗତି ପଥରେ ଅଗ୍ରସର କରାଉଅଛନ୍ତି ।

 

ଇମନ୍‌ ଡି. ଭେଲେରା ୧୮୮୨ ମସିହା ଅକ୍‌ଟୋବର ମାସ ୧୪ ତାରିଖ ଦିନ ଆମେରିକାର ନ୍ୟୁୟର୍କ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଭି, ଭି, ୟାନ୍‌ ଡି. ଭେଲେରା ଜଣେ ସ୍ପାନିୟାର୍ଡ଼୍‌ । ସେ ପ୍ରଥମେ କ୍ୟୁବା ଦ୍ୱୀପରୁ ଆସି ନ୍ୟୁୟର୍କ ସହରରେ ସ୍ଥାୟୀଭାବରେ ବାସ କରୁଥିଲେ । ଇମନ୍‌ ଡି. ଭେଲେରାଙ୍କ ମାତା ଜଣେ ଆଇରିସ୍‌ ରମଣୀ । ଡି. ଭେଲେରାଙ୍କୁ ଦୁଇବର୍ଷ ମାତ୍ର ବୟସରେ ତାଙ୍କର ପିତୃବିୟୋଗ ହୋଇଥିଲା । ସୁତରାଂ ବାଳକର ଲାଳନପାଳନ ଓ ଶିକ୍ଷାର ଭାର ମାଆଙ୍କ ଉପରେହିଁ ପଡ଼ିଥିଲା । ମା’ ଡି. ଭେଲେରାଙ୍କୁ ତିନିବର୍ଷ ବୟସରେ ଆୟର୍‌ଲାଣ୍ଡର ଲିସେରିକ୍‌ କାଉଣ୍ଟିର ବ୍ରୂରି ଗ୍ରାମରେ ଥିବା ତାଙ୍କ ଭାଇଙ୍କ ଘରଠାକୁ ପଠାଇ ଦେଇଥିଲେ । ଜଣେ ସାମାନ୍ୟ ଗ୍ରାମ୍ୟକୃଷକ ରୂପେ ତାଙ୍କ ମାତୁଳଙ୍କ ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନ ଥିଲା । ମାତ୍ର ଶିଶୁ ଅବସ୍ଥାରୁ ଡି. ଭେଲେରାଙ୍କର ବୁଦ୍ଧି, ବିଚକ୍ଷଣତା ଏବଂ ଶିକ୍ଷାପ୍ରତି ବିଶେଷ ଆଗ୍ରହ ଦେଖି ମାତୁଳ ତାଙ୍କୁ ନିଜର ଶକ୍ତି ଅନୁଯାୟୀ ଉପଯୁକ୍ତ ଶିକ୍ଷା ଦେବାପାଇଁ ସଂକଳ୍ପ କରିଥିଲେ । ପିଲାଦିନୁ ବିଭିନ୍ନ ଦେଶର ଜାତୀୟ ବୀର ଏବଂ ନେତାମାନଙ୍କ ଜୀବନଚରିତ ପାଠ କରିବା ପାଇଁ ଡି. ଭେଲେରାଙ୍କର ବିଶେଷ ଆଗ୍ରହ ଦେଖାଯାଉଥିଲା । ବାଲ୍ୟକାଳର ଏହିସବୁ ଗ୍ରନ୍ଥ ଅଧ୍ୟୟନ ଯେ ତାଙ୍କର ସମସ୍ତ ଜୀବନକୁ ବିଶେଷ ପ୍ରଭାବିତ କରିଥିଲା, ଏହା କହିବା ବାହୁଲ୍ୟ ମାତ୍ର ।

 

ବ୍ରୂରି ଗ୍ରାମ୍ୟ ପାଠଶାଳାରେ ଡି. ଭେଲେରା ପ୍ରାଥମିକ ଶିକ୍ଷାଲାଭ କରିଥିଲେ । ଅତି ଅଳ୍ପ ବୟସରୁ ତାଙ୍କର ବିଦ୍ୟାଶିକ୍ଷା ପ୍ରତି ଆଗ୍ରହ ଓ ପ୍ରଗାଢ଼ ଅଧ୍ୟବସାୟ ଦେଖି ଶିକ୍ଷକ ଓ ଅଭିଭାବକମାନେ ତାଙ୍କୁ ବଡ଼ ସ୍ନେହ ଓ ଆଦର କରୁଥିଲେ । ଇମନ୍‌ ଡି. ଭେଲେରା ତେରବର୍ଷ ବୟସରେ ଗ୍ରାମ୍ୟସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେଠାରୁ ଛଅ ମାଇଲ ଦୂରବର୍ତ୍ତୀ ଚାରଭିଲି ସହରରେ ଗୋଟିଏ ଖ୍ରୀଷ୍ଟିଆନ୍‌ ପାଦ୍ରି ସ୍କୁଲରେ ପ୍ରବେଶ କଲେ । ଅଳ୍ପ ସମୟ ମଧ୍ୟରେ ସେ ନିଜ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କଲେ । ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ବିଦ୍ୟାନୁରାଗ ଓ ଆର୍ଥିକ ଅବସ୍ଥା ବିବେଚନା କରି ତାଙ୍କୁ ଗୋଟିଏ ମାସିକ ବୃତ୍ତି ପ୍ରଦାନ କରିଥିଲେ । ଏଠାରୁ ବିଶେଷ କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହୋଇ ସେ ଡବ୍‌ଲିନ୍‌ ସହରର ବ୍ଳାକ୍‌ରକ କଲେଜରେ ପ୍ରଥମେ ଜଣେ ଫ୍ରି ଛାତ୍ର ରୂପେ ଗୃହୀତ ହୋଇଥିଲେ । ତତ୍ପରେ ସେ ଆୟର୍‌ଲାଣ୍ଡର ରୟାଲ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସାଙ୍ଗ କରି ୧୯୦୪ ମସିହାରେ କୃତିତ୍ୱ ସହିତ ବି.ଏ. ଡିଗ୍ରୀ ଲାଭ କରିଥିଲେ । ଛାତ୍ରାବସ୍ଥାରେ ନାନା ଅଭାବ ଅସୁବିଧା ମଧ୍ୟରେ ତାଙ୍କୁ ଶିକ୍ଷାଲାଭ କରିବାକୁ ପଡ଼ିଥିଲା । କେବଳ ନିଜର ଅଧ୍ୟବସାୟ ଓ ଏକଗ୍ରତାଦ୍ୱାରା ସେ ଦେଶର ଉଚ୍ଚତମ ଶିକ୍ଷା ସମାପ୍ତ କରିବାକୁ ସମର୍ଥ ହୋଇଥିଲେ । ଛାତ୍ରାବସ୍ଥାରେ ଡି. ଭେଲେରା ଗଣିତ ଏବଂ ପଦାର୍ଥବିଜ୍ଞାନ ଶାସ୍ତ୍ରରେ ବିଶେଷ ବ୍ୟୁତ୍ପତ୍ତି ଦେଖାଇଥିଲେ । ସ୍କୁଲ ଓ କଲେଜରେ ଅଧ୍ୟୟନ କଲାବେଳୁ ପରାଧୀନ ଆୟର୍‌ଲାଣ୍ଡର ଆର୍ଥିକ ତଥା ରାଜନୀତିକ ଦୁରବସ୍ଥା ପ୍ରତି ଡି. ଭେଲେରାଙ୍କ ଦୃଷ୍ଟି ବିଶେଷଭାବରେ ଆକୃଷ୍ଟ ହୋଇଥିଲା ଏବଂ ତାହାର ଏକମାତ୍ର ପ୍ରତିବିଧାନର ପନ୍ଥା ସ୍ୱରୂପ ଆୟର୍‌ଲାଣ୍ଡର ସ୍ୱାଧୀନତା ସଂଗ୍ରାମରେ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିବାପାଇଁ ସେ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।

 

ଶିକ୍ଷା ସମାପନାନ୍ତେ ଡି. ଭେଲେରା ରକ୍‌ଓ୍ୟାଲ କଲେଜର ପଦାର୍ଥବିଜ୍ଞାନ ଓ ଗଣିତ ଅଧ୍ୟାପକ ରୂପେ ନିଯୁକ୍ତ ହେଲେ । ଛାତ୍ରାବସ୍ଥାରେ ଯାହା ଶିକ୍ଷାଲାଭ କରିଥିଲେ ସେତିକିରେ ସନ୍ତୁଷ୍ଟ ନ ରହି ସେ ନିଜର ଜ୍ଞାନବୃଦ୍ଧି ପାଇଁ ଅଧ୍ୟୟନ ଓ ଗବେଷଣାରେ ପ୍ରତ୍ୟହ ନିୟମିତ ଭାବରେ ଯଥେଷ୍ଟ ସମୟ ବ୍ୟୟ କରୁଥିଲେ । ଜଣେ ପ୍ରତିଭାଶାଳୀ ଓ ନିଷ୍ଠାପର ଶିକ୍ଷକ ରୂପେ ଛାତ୍ରମହଲରେ ତାଙ୍କର ପ୍ରତିପତ୍ତି ଅଳ୍ପ ସମୟ ମଧ୍ୟରେ ପ୍ରତିଷ୍ଠିତ ହୋଇଥିଲା ।

 

ପରାଧୀନତାର କୁଫଳ ସ୍ୱରୂପ ସେତେବେଳେକୁ ଆୟର୍‌ଲାଣ୍ଡବାସୀଙ୍କ ମଧ୍ୟରେ ଇଂରେଜ ଭାଷା ଓ ଇଂରେଜ ରୀତିନୀତିର ପ୍ରଭାବ ବିଶେଷ ବୃଦ୍ଧି ପାଇଥିଲା । ଉଚ୍ଚ ଶ୍ରେଣୀର ଆଇରିସ୍‌ମାନେ ନିଜ ଦେଶର ମାତୃଭାଷା ଗେଲିକ୍‌ ପ୍ରତି ଉଦାସୀନ ହୋଇ ଇଂରେଜୀଭାଷା ଶିକ୍ଷାପାଇଁ ବିଶେଷ ଆଗ୍ରହ ଦେଖାଉଥିଲେ । ନିଜ ଦେଶବାସୀଙ୍କର ଏହି ବିଜାତୀୟ ମନୋବୃତ୍ତି ଲକ୍ଷ୍ୟକରି ଆୟର୍‌ଲାଣ୍ଡର କେତେକ ଜାତୀୟବାଦୀ ଯୁବକ ନିଜ ମାତୃଭାଷା ପ୍ରତି ଆଗ୍ରହ ଜନ୍ମାଇବା ଉଦ୍ଦେଶ୍ୟରେ ୧୮୯୩ ମସିହାରେ ‘ଗେଲିକ୍‌ ଲିଗ୍‌’ ନାମରେ ଗୋଟିଏ ସାହିତ୍ୟିକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଗେଲିକ୍‌ ଭାଷା ନିଜେ ଶିକ୍ଷା କରିବାପାଇଁ ଏବଂ ଆଇରିସ୍‌ ଯୁବକ ଯୁବତୀଙ୍କ ମଧ୍ୟରେ ତାହାର ପ୍ରସାର ଓ ଜାତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଚାର ପାଇଁ ଡି. ଭେଲେରା କଲେଜରେ ଶିକ୍ଷକତା କରୁଥିବାବେଳେ ଏହି ଗେଲିକ୍‌ ଲିଗ୍‌ରେ ଯୋଗ ଦେଇଥିଲେ । କିଛି ସମୟ ପରେ ଡି. ଭେଲେରାଙ୍କ ନେତୃତ୍ୱରେ ଏହି ସାହିତ୍ୟିକ ଅନୁଷ୍ଠାନ ଏକ ବିଶିଷ୍ଟ ଜାତୀୟବାଦୀ ରାଜନୀତିକ ଅନୁଷ୍ଠାନରେ ପରିଣତ ହୋଇଥିଲା । ୧୯୧୦ ମସିହାରେ ‘ମିସ୍‌ ଜ୍ୟାନେଟ୍‌’ ଫ୍ଳାନେଗାନ୍‌ ନାମକ ଜଣେ ଆଇରିସ୍‌ ଶିକ୍ଷୟିତ୍ରୀଙ୍କ ସହିତ ‘ଡି. ଭେଲେରା ଗେଲିକ୍‌ ଲିଗ୍‌’ର ସଭ୍ୟ ରୂପେ ପ୍ରତ୍ୟକ୍ଷ ସଂଶ୍ରବରେ ଆସିଲେ । ଡି. ଭେଲେରା ମିସ୍‌ ଫ୍ଳାନେଗାନ୍‌ଙ୍କଠାରୁ ଖୁବ୍‌ ଭଲଭାବରେ ଗେଲିକ୍‌ ଭାଷା ଶିକ୍ଷା କଲେ । କ୍ରମେ ଉଭୟଙ୍କ ମଧ୍ୟରେ ପ୍ରଣୟ ପ୍ରତିଷ୍ଠିତ ହେଲା ଏବଂ କିଛି ସମୟ ପରେ ସେମାନେ ପରିଣୟସୂତ୍ରରେ ଆବଦ୍ଧ ହେଲେ ।

 

୧୯୧୨ ମସିହାରେ ଆୟର୍‌ଲାଣ୍ଡର ସ୍ୱାଧୀନତା ଆନ୍ଦୋଳନର ତୀବ୍ରତା ଲପଲବ୍‌ଧି କରି ବିଲାତ ଲିବରାଲ ବା ମାନ୍ଦାଦଳର ପ୍ରଧାନମନ୍ତ୍ରୀ ମିଷ୍ଟର ଆସ୍‌କୁଇଥ ପାର୍ଲିଆମେଣ୍ଟରେ ଏକ ‘ଆଇରିସ୍‌ ହୋମ୍‌ରୁଲ’ ବିଲ ଆଗତ କରି ଆୟର୍‌ଲାଣ୍ଡବାସୀଙ୍କ ସ୍ୱାଧୀନତା ଦାବିକୁ କିୟତ୍‌ ପରିମାଣରେ ସ୍ୱୀକାର କରିବାପାଇଁ ଉଦ୍ୟମ କରିଥିଲେ । ଏ ଉଦ୍ୟମ ତଥା ଆଇରିସ୍‌ ସ୍ୱାଧୀନତା ଆନ୍ଦୋଳନର ତୀବ୍ର ବିରୋଧ କରିବାପାଇଁ ସାର ଏଡ଼ଓ୍ୟାର୍ଡ଼ କାର୍ଷନ୍‌ ନାମକ ଜଣେ ବାରିଷ୍ଟର ଅଲ୍‌ଷ୍ଟର ଅଞ୍ଚଳରେ ଏକ ସ୍ୱେଚ୍ଛାସେବକ ଦଳ ଗଠନକଲେ । ଇଂରେଜ ସାମ୍ରାଜ୍ୟବାଦୀ ରାଜନୀତିକମାନଙ୍କ ପ୍ରରୋଚନା ଓ ସାହାଯ୍ୟରେ ଏହି ସ୍ୱେଚ୍ଛାସେବକ ଦଳ ଗୁପ୍ତଭାବରେ ନାନା ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ସ୍ଥାନେ ସ୍ଥାନେ ଆଇରିସ୍‌ ଜାତୀୟବାଦୀମାନଙ୍କୁ ହତ୍ୟା କରିବାକୁ ଲାଗିଲେ । ବ୍ରିଟିଶ ଶାସକଗୋଷ୍ଠୀ ଏହି ଅଲ୍‌ଷ୍ଟର ସ୍ୱେଚ୍ଛାସେବକ ଦଳକୁ ପ୍ରଚ୍ଛନ୍ନଭାବରେ ଉତ୍ସାହିତ କରି ଜାତୀୟବାଦୀ ଦକ୍ଷିଣାଞ୍ଚଳ ଆଇରିସ୍‌ମାନଙ୍କ ସ୍ୱାଧୀନତା ଆନ୍ଦୋଳନର ବିରୋଧ କରାଇଥିଲେ । ଡି. ଭେଲେରା ପ୍ରଭୃତି ଆଇରିସ୍‌ ଜାତୀୟବାଦୀମାନେ ଏହି ଅବସ୍ଥା ଲକ୍ଷ୍ୟକରି ଆତ୍ମରକ୍ଷା ପାଇଁ ‘ଆଇରିସ୍‌ ରିପବ୍ଳିକାନ୍‌ ଆର୍ମି’ ନାମରେ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାସେବକ ଦଳ ଗଠନକଲେ । ସମଗ୍ର ଆୟର୍‌ଲାଣ୍ଡକୁ ଇଂଲଣ୍ଡରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରି ତାହା ପାଇଁ ଏକ ସ୍ୱତନ୍ତ୍ର ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ଆଇରିସ୍‌ ସ୍ୱେଚ୍ଛାସେବକମାନଙ୍କର ଲକ୍ଷ୍ୟ ଥିଲା । ମାତ୍ର ଅଲ୍‌ଷ୍ଟର ସ୍ୱେଚ୍ଛାସେବକ ଦଳ ଆୟର୍‌ଲାଣ୍ଡ ପାଇଁ କେତେକ ବିଷୟରେ ସ୍ୱାତନ୍ତ୍ର୍ୟ ଇଚ୍ଛା କରୁଥିଲେ ମଧ୍ୟ ସମଗ୍ର ଆୟର୍‌ଲାଣ୍ଡକୁ ଏକ ଅବିଭକ୍ତ ଗଣତନ୍ତ୍ରରେ ସଂଗଠିତ କରିବା ସେମାନଙ୍କର ଅଭିପ୍ରାୟ ନ ଥିଲା । ଅଲ୍‌ଷ୍ଟରବାସୀ ସାଧାରଣତଃ ଇଂରେଜ ଭାଷାଭାଷୀ ଏବଂ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ୱୀ । କ୍ୟାଥ୍‌ଲିକ୍‌ ଧର୍ମାବଲମ୍ୱୀ ଦକ୍ଷିଣ ଆୟର୍‌ଲାଣ୍ଡ ସହିତ ଏକ ଶାସନସଂସ୍ଥାରେ ରହିଲେ ଅଲ୍‌ଷ୍ଟରବାସୀଙ୍କର ସ୍ୱତନ୍ତ୍ର ଅସ୍ତିତ୍ୱ ଓ ପ୍ରବାହ ରହିବ ନାହିଁ—ଏହି ଆଶଙ୍କା କରି ସେମାନେ ଉତ୍ତର ଆୟର୍‌ଲାଣ୍ଡ ବା ଅଲ୍‌ଷ୍ଟର ପାଇଁ ଏକ ସ୍ୱତନ୍ତ୍ର ଶାସନସଂସ୍ଥା ଦାବି କରୁଥିଲେ । ଇଂଲଣ୍ଡର ସ୍କଟ୍‌ଲାଣ୍ଡ ସହିତ ରକ୍ତ ସମ୍ପର୍କ ଥିବାରୁ ଅଲ୍‌ଷ୍ଟରବାସୀମାନେ ବ୍ରିଟେନ୍‌ଠାରୁ ସମ୍ପୂର୍ଣ୍ଣ ପୃଥକ୍‌ ନ ହୋଇ ଘନିଷ୍ଠ ରାଜନୀତିକ ଏବଂ ଶାସନଗତ ସମ୍ପର୍କ ଅକ୍ଷୁଣ୍ଣ ରଖିବାର ପକ୍ଷପାତୀ ଥିଲେ ।

 

‘ଆଇରିସ୍‌ ରିପବ୍ଳିକାନ୍‌ ଆର୍ମି’ର ସ୍ୱେଚ୍ଛାସେବକମାନଙ୍କୁ ଆବଶ୍ୟକ ହେଲେ ବ୍ରିଟେନ୍‌ ସହିତ ବିଦ୍ରୋହ କରି ଯୁଦ୍ଧ କରିବାପାଇଁ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ରୀତିମତ ସାମରିକଶିକ୍ଷା ଦିଆଯାଉଥିଲା । ଡି. ଭେଲେରା ଏହି ସ୍ୱେଚ୍ଛାସେବକ ଦଳରେ ଯୋଗଦେଇ ସାମରିକ ଶିକ୍ଷାଲାଭ କଲେ । ଶିକ୍ଷକଭାବରେ ଡି. ଭେଲେରା ଯେପରି ଦକ୍ଷତା ଓ କୃତିତ୍ୱ ଲାଭ କରିଥିଲେ ସୈନିକ ଭାବରେ ମଧ୍ୟ ଅବିଳମ୍ୱେ ସେହିପରି କୃତିତ୍ୱ ଅର୍ଜନ କଲେ । ସେ ଏହି ସ୍ୱେଚ୍ଛାସେବକ ବାହିନୀର ଗୋଟିଏ ପ୍ରଧାନଫୌଜର କମାଣ୍ଡାଣ୍ଟ୍‌ ବା ସେନାପତି ହେଲେ ।

 

ଏହି ସମୟରେ ୧୯୧୪ ମସିହାରେ ଇଉରୋପୀୟ ମହାଯୁଦ୍ଧ ଆରମ୍ଭ ହୋଇଗଲା । ବ୍ରିଟିଶ ପାର୍ଲିଆମେଣ୍ଟରେ ଆସ୍‌କୁଇଥଙ୍କ ପ୍ରସ୍ତାବିତ ଆଇରିସ୍‌ ହୋମରୁଲ୍‌ ବିଲ ଲର୍ଡ଼ସଭାରେ ବାରମ୍ୱାର ବିରୋଧ ସତ୍ତ୍ୱେ ଗୃହୀତ ହୋଇଗଲା । ମାତ୍ର ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟରେ ପରିଣତ ନ କରି ସ୍ଥଗିତ ରଖିବାପାଇଁ ଆଇରିସ୍‌ ସ୍ୱାଧୀନତାବିରୋଧୀ ଇଂରେଜ ସାମ୍ରାଜ୍ୟବାଦୀ ରାଜନୀତିକମାନଙ୍କ ଷଡ଼ଯନ୍ତ୍ରରେ ବ୍ୟବସ୍ଥା ହେଲା । ଆୟର୍‌ଲାଣ୍ଡର ଲୋକେ ସାଧାରଣତଃ ଉପସ୍ଥିତ ପାଇଁ ଇଂଲଣ୍ଡ ସହିତ ବିରୋଧଭାବ ଭୁଲି ଯୁଦ୍ଧରେ ଯୋଗଦେଇ ସହଯୋଗ କଲେ । ମାତ୍ର ଡି. ଭେଲେରା ଓ ତାଙ୍କ ସହକର୍ମୀ ଉଗ୍ରପନ୍ଥୀନେତାମାନେ ଇଂଲଣ୍ଡର ଏହି ବିପଦବେଳର ସୁବିଧା ନେଇ ବିଦ୍ରୋହଦ୍ୱାରା ଆୟର୍‌ଲାଣ୍ଡର ସ୍ୱାଧୀନତା ହାସଲ କରିବାପାଇଁ ସଂଗଠିତ ହେବାକୁ ଲାଗିଲେ । ଏମାନେ ‘ସିନ୍‌ଫିନ୍‌’ ନାମରେ ଏକ ସ୍ୱତନ୍ତ୍ର ବିପ୍ଳବୀଦଳ ଗଠନ କଲେ । ‘ସିନ୍‌ଫିନ୍‌’–ଏହି ଶବ୍ଦ ଦ୍ୱୟର ଅର୍ଥ ଆମେ ନିଜେ । ଅନ୍ୟ କେହି ଯେ ଅନୁଗ୍ରହ କରି ଆମକୁ ସ୍ୱାଧୀନତା ଦେଇଦେବେ ଏପରି ଆଶା ପୋଷଣ ନ କରି ଅଥଚ ନିଜର ଶକ୍ତି ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ସ୍ୱାଧୀନତା ସଂଗ୍ରାମରେ ଅଗ୍ରସର ହେବା ‘ସିନ୍‌ଫିନ୍‌’ମାନଙ୍କର ମୂଳନୀତି । ସୁତରାଂ ବିଲାତ ପାର୍ଲିଆମେଣ୍ଟର ନିଷ୍ପତ୍ତି ଏବଂ ଅନୁଗ୍ରହ ପ୍ରତି କୌଣସି ଦୃଷ୍ଟି ନ ଦେଇ ଅସହଯୋଗ ନୀତି ଅବଲମ୍ୱନ ପୂର୍ବକ ପାର୍ଲିଆମେଣ୍ଟ ବର୍ଜନ ଏବଂ ନିଜେ ନିଜେ ଦଳକୁ ସଂଗଠିତ କରିବାଦ୍ୱାରା ଆତ୍ମଶକ୍ତି ବୃଦ୍ଧି କରିବାରେ ସିନ୍‌ଫିନ୍‌ମାନେ ଲାଗି ପଡ଼ିଲେ । ସେମାନେ ଅସ୍ତ୍ରଶସ୍ତ୍ର ଆଦି ସଂଗ୍ରହ କରି ବିପ୍ଳବଦ୍ୱାରାହିଁ ଲକ୍ଷ୍ୟଲାଭ କରିବାପାଇଁ ପ୍ରସ୍ତୁତ ହେଲେ । ୧୯୧୬ ମସିହା ଇଷ୍ଟର ସପ୍ତାହରେ ହଠାତ୍‌ ଏମାନେ ଡବ୍‌ଲିନ୍‌ ସହରରେ ବିଦ୍ରୋହ ଆରମ୍ଭ କରିଦେଲେ । ଡି. ଭେଲେରାଙ୍କ ସମେତ ସାତଜଣ ନେତାଙ୍କ ସ୍ୱାକ୍ଷରରେ ଆୟର୍‌ଲାଣ୍ଡ ଏକ ସ୍ୱତନ୍ତ୍ର ଗଣତନ୍ତ୍ର ହେଲା ବୋଲି ଗୋଟିଏ ଘୋଷଣା ପ୍ରଚାରିତ ହେଲା । ‘ସିନ୍‌ଫିନ୍‌’ ବିପ୍ଳବୀମାନେ ଇଂଲଣ୍ଡର ଶତ୍ରୁପକ୍ଷ ଜର୍ମାନୀଠାରୁ ଗୁପ୍ତଭାବରେ ଅସ୍ତ୍ରଶସ୍ତ୍ର ଓ ଅର୍ଥ ସାହାଯ୍ୟ ଲାଭ କରିଥିଲେ । ବିଦ୍ୟୁତ୍‌ବେଗରେ ଏ ବିଦ୍ରୋହ ଆୟର୍‌ଲାଣ୍ଡର ଚାରିଆଡ଼େ ବ୍ୟାପି ଯାଇଥିଲା । ଆଇରିସ୍‌ ରିପବ୍ଳିକାନ୍‌ ସ୍ୱେଚ୍ଛାସେବକ ଦଳ ଏବଂ ଇଂରେଜ ସୈନ୍ୟଫୌଜ ମଧ୍ୟରେ ବିଭିନ୍ନ ସହରରେ ପ୍ରତ୍ୟକ୍ଷ ସଂଗ୍ରାମ ଲାଗିଗଲା । ଗୋଟିଏ ପ୍ରଧାନ ବିପ୍ଳବୀ ଫୌଜର ସେନାପତିରୂପେ ଡି. ଭେଲେରା ଇଂରେଜ ସୈନ୍ୟଙ୍କ ସହିତ ଭୀଷଣ ସଂଗ୍ରାମରେ ଲଢ଼ି ବହୁ ଇଂରେଜ ସୈନ୍ୟଙ୍କୁ ମାରି ଦେଇଥିଲେ । ଇଂରେଜ ସୈନ୍ୟବାହିନୀ ସମୁଦ୍ର କୂଳରେ ଜାହାଜରୁ ଓହ୍ଲାଇ ଯେଉଁ ପଥ ଦେଇ ଡବ୍‌ଲିନ୍‌ ସହରକୁ ଯିବେ ସେହି ପଥ ମଧ୍ୟରେ ବୋଲାଣ୍ଡସ୍‌ ମିଲ୍‌ ନାମକ ଏକ କାରଖାନାଠାରେ ଡି. ଭେଲେରା ତାଙ୍କର କତିପୟ ସୁଶିକ୍ଷିତ ସ୍ୱେଚ୍ଛାସେବକ ସେନା ଏବଂ ଦୁଇଟି ମାତ୍ର କମାଣ ରଖାଇ ଅବିରତ ଗୋଳାବର୍ଷଣଦ୍ୱାରା ବ୍ରିଟିଶ ସୈନ୍ୟଫୌଜର ଅଗ୍ରଗତି ରୋଧ କରିଥିଲେ । ବହୁସଂଖ୍ୟକ ଇଂରେଜ ସୈନ୍ୟ ଏଠାରେ ପ୍ରାଣ ହରାଇଥିଲେ । ଯାହାହେଉ ସଂଖ୍ୟାଧିକ ଏବଂ ସୁନିୟନ୍ତ୍ରିତ ବ୍ରିଟିଶ ସୈନ୍ୟଫୌଜକୁ ଆଇରିସ୍‌ ବିପ୍ଳବୀମାନେ ବେଶିଦିନ ପ୍ରତିରୋଧ କରିପାରିଲେ ନାହିଁ । ସାତଦିନ କାଳ ପ୍ରବଳ ଲଢ଼େଇ ପରେ ବିପ୍ଳବୀମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ । ଡବ୍‌ଲିନ୍‌ ସହରରେ ବିପ୍ଳବ ଦମନ ହୋଇଯିବା ପରେ ଡି. ଭେଲେରା ନିଜର ଘୋର ଅନିଚ୍ଛା ସତ୍ତ୍ୱେ ଉପରିସ୍ଥ ବିପ୍ଳବୀ ନେତାମାନଙ୍କ ନିର୍ଦ୍ଦେଶକ୍ରମେ ବୋଲାଣ୍ଡସ୍‌ ମିଲରୁ ବାହାରି ଇଂରେଜ ସେନାପତିଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ କହିଲେ, ‘‘ତୁମେ ଇଚ୍ଛାକଲେ ମୋତେ ଗୁଳି କରି ଦେଇପାର, ମାତ୍ର ମୋର ସ୍ୱେଚ୍ଛାସେବକମାନଙ୍କ ପ୍ରତି କୌଣସି ଦୁର୍ବ୍ୟବହାର କରନାହିଁ ।’’

 

ସାମରିକ ବିଚାରାଳୟରେ ବିଦ୍ରୋହୀ ନେତାମାନଙ୍କର ବିଚାର ହୋଇ ଡି. ଭେଲେରାଙ୍କ ସମେତ ଆୟର୍‌ଲାଣ୍ଡ ଗଣତନ୍ତ୍ର ଘୋଷଣାପତ୍ରରେ ସ୍ୱାକ୍ଷର କରିଥିବା ସାତଜଣ ବିଶିଷ୍ଟ ନେତାଙ୍କୁ ପ୍ରାଣଦଣ୍ଡ ଆଦେଶ ହେଲା । ମାତ୍ର ବିଚାରକମାନେ ଯେତେବେଳେ ଜାଣିଲେ ଯେ ଡି. ଭେଲେରାଙ୍କ ଜନ୍ମ ଆମେରିକା ରାଜ୍ୟରେ, ସୁତରାଂ ଜନ୍ମଗତ ଅଧିକାର ସ୍ୱରୂପ ସେ ଆମେରିକାବାସୀ, ସେତେବେଳେ ତାଙ୍କର ପ୍ରାଣଦଣ୍ଡ ଶାସ୍ତି ପରିବର୍ତ୍ତନ କରାଯାଇ ତାଙ୍କୁ ଯାବଜ୍ଜୀବନ କଠିନ କାରାଦଣ୍ଡ ଦିଆଗଲା । କାରଣ ସେତେବେଳକୁ ବ୍ରିଟେନ୍‌ ଆମେରିକାକୁ ନିଜର ପକ୍ଷଭୁକ୍ତ କରି ଇଉରୋପୀୟ ଯୁଦ୍ଧରେ ପୂରାଇବାକୁ ବିଶେଷ ଉଦ୍‌ବିଗ୍ନ ଥିଲା । ଜଣେ ଆମେରିକାବାସୀଙ୍କୁ ପ୍ରାଣଦଣ୍ଡ ଦେବାଦ୍ୱାରା ଆମେରିକାର ସାଧାରଣ ଜନମତ କାଳେ ଉତ୍ତ୍ୟକ୍ତ ହୋଇ ଉଠିବ ଓ ଫଳରେ ଯୁଦ୍ଧରେ ଆମେରିକାର ସାହାଯ୍ୟ ନ ମିଳିବ, ଏହି ଭୟରେ ବ୍ରିଟିଶ ସରକାର ବାଧ୍ୟ ହୋଇ ଡି. ଭେଲେରାଙ୍କ ପ୍ରାଣଦଣ୍ଡ ରଦ୍ଦ କରିଥିଲେ । ସେତେବେଳେ ଆୟର୍‌ଲାଣ୍ଡ ଏବଂ ଇଂଲଣ୍ଡର ନରମପନ୍ଥୀମାନେ ବିପ୍ଳବୀମାନଙ୍କୁ ଦୋଷ ଦେଇଥିଲେ ଏବଂ ଏ ବିପୁଳ ଧନଜନକ୍ଷୟର ବିଶେଷ କିଛି ଫଳ ହେଲାନାହିଁ ବୋଲି ବିପ୍ଳବୀମାନଙ୍କର ଅବିମୃଷ୍ୟକାରିତା ପ୍ରତି ଘୋର ଆକ୍ଷେପ ପ୍ରକାଶ କରିଥିଲେ । ମାତ୍ର ଡି. ଭେଲେରା ନିଜେ ପରେ ନାନାକ୍ଷେତ୍ରରେ ଦୃଢ଼ମତ ବ୍ୟକ୍ତ କରିଛନ୍ତି ଯେ ଇଷ୍ଟର୍‌ ବିଦ୍ରୋହଦ୍ୱାରା ଆୟର୍‌ଲାଣ୍ଡରେ ସ୍ୱାଧୀନତା ଆନ୍ଦୋଳନ ଆଶାତୀତ ଭାବରେ ସିଦ୍ଧକାମ ହୋଇଅଛି । ଡି. ଭେଲେରା ସ୍ପଷ୍ଟ କହିଛନ୍ତି ଯେ, ସେତେବେଳେ ଇଷ୍ଟର ବିପ୍ଳବ ନ ହୋଇଥିଲେ ସ୍ୱାଧୀନ ଆଇରିସ୍‌ ରାଷ୍ଟ୍ର ପ୍ରତିଷ୍ଠିତ ହୋଇ ନ ଥାନ୍ତା ବା ସେ ଆଜି ତାର ନେତୃତ୍ୱ ନେଇ ନ ଥାନ୍ତେ ।

 

ଇଂଲଣ୍ଡର ଡାର୍କମୁର ଜେଲ୍‌ରେ ଡି. ଭେଲେରା ଏକବର୍ଷ ମାତ୍ର ଦଣ୍ଡଭୋଗ କରିସାରିବା ପରେ ୧୯୧୬ ମସିହା ନଭେମ୍ୱର ମାସରେ ବିଲାତର ପ୍ରଧାନମନ୍ତ୍ରୀ ଲଏଡ୍‍ ଜର୍ଜ ଆୟର୍‌ଲାଣ୍ଡର ଉତ୍ତ୍ୟକ୍ତ ଜନମତକୁ ସନ୍ତୁଷ୍ଟ କରି ସାଲିସ ସମାଧାନ ପାଇଁ ବାଟ ଫିଟାଇବା ଉଦ୍ଦେଶ୍ୟରେ ଆୟର୍‌ଲାଣ୍ଡର ସମସ୍ତ ରାଜନୀତିକ ବନ୍ଦୀଙ୍କୁ ମୁକ୍ତ କରିଦେବା ପାଇଁ ଆଦେଶ ଦେଲେ । ବନ୍ଦୀଶାଳାରେ ଏକବର୍ଷ ଆବଦ୍ଧ ଥିବାବେଳେ ଡି. ଭେଲେରା ଆୟର୍‌ଲାଣ୍ଡର ଭବିଷ୍ୟତ ସ୍ୱାଧୀନତା ଆନ୍ଦୋଳନ ପାଇଁ ଏକ ସୁସଂବଦ୍ଧ କର୍ମଯୋଜନା ପ୍ରସ୍ତୁତ କରିଥିଲେ । ଏହି ସମୟରେ ଜଣେ ସହକର୍ମୀ ରାଜନୀତିକ ବନ୍ଦୀଙ୍କ ପ୍ରତି ଜେଲ କର୍ତ୍ତୃପକ୍ଷଙ୍କର ଅଯଥା କଠୋର ଶାସ୍ତିର ପ୍ରତିବାଦ ସ୍ୱରୂପ ସେ ବନ୍ଦୀମାନଙ୍କର ଏକ ଧର୍ମଘଟ କରାଇଥିଲେ । ଏ ଧର୍ମଘଟଦ୍ୱାରା ଜେଲ ଭିତରେ ଓ ବାହାରେ ତୁମୂଳ ଉତ୍ତେଜନା ଖେଳି ଯାଇଥିଲା ।

 

ଆଇରିସ୍‌ ବନ୍ଦୀମାନଙ୍କୁ ମୁକ୍ତ କରିଦେବା ସଙ୍ଗେ ସଙ୍ଗେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲଏଡ୍‍ ଜର୍ଜ ଲଣ୍ଡନଠାରେ ଆଇରିସ୍‌ ରାଜନୀତିକ ନେତାମାନଙ୍କର ଏକ ସମ୍ମିଳନୀ ଡକାଇଲେ । ଡି. ଭେଲେରା ଓ ତାଙ୍କ ସହକର୍ମୀମାନେ ଏ ଆଲୋଚନାରେ ଯୋଗ ଦେଇଥିଲେ । ମାତ୍ର ବ୍ରିଟିଶ ସରକାର ଆୟର୍‌ଲାଣ୍ଡକୁ ଯେଉଁ ସାମାନ୍ୟ ଶାସନକ୍ଷମତା ଦେବାପାଇଁ ପ୍ରସ୍ତାବ କଲେ, ତାହା ଆଇରିସ୍‌ ନେତାମାନଙ୍କୁ ଆଦୌ ସନ୍ତୁଷ୍ଟ କରି ପାରିଲା ନାହିଁ । ସୁତରାଂ ସେମାନେ ସମାଧାନ ସମ୍ମିଳନୀ ଛାଡ଼ି ନିଜ ଦେଶକୁ ଫେରିଗଲେ । ଜେଲ୍‌ରୁ ମୁକ୍ତ ହେବାପରେ ଡି. ଭେଲେରା ଏକ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ପାର୍ଲିଆମେଣ୍ଟକୁ ନିର୍ବାଚିତ ହେଲେ । ମାତ୍ର ସେତେବେଳେ ଆୟର୍‌ଲାଣ୍ଡର ସିନ୍‌ଫିନ୍‌ ଦଳ ପାର୍ଲିଆମେଣ୍ଟ ବର୍ଜନ କରିଥିଲେ । ଲଣ୍ଡନକୁ ଆସି ସେମାନେ ବ୍ରିଟିଶ ପାର୍ଲିଆମେଣ୍ଟ ବୈଠକରେ ଯୋଗଦେଉ ନଥିଲେ । ସୁତରାଂ ଡି. ଭେଲେରା କେବେ ବିଲାତ ପାର୍ଲିଆମେଣ୍ଟରେ ଆସି ଯୋଗଦେଇ ନାହାନ୍ତି । ଏ ନିର୍ବାଚନ ପରେ ଏକ ସାଧାରଣ ସଭାରେ ଭାଷଣ ଦେଇ ସେ ଦୃଢ଼ ଭାବରେ ଦାବି କରିଥିଲେ ଯେ, ଇଂରେଜ ଆଧିପତ୍ୟରୁ ଆୟର୍‌ଲାଣ୍ଡକୁ ସମ୍ପୂର୍ଣ୍ଣ ମୁକ୍ତ କରି ନିଜ ଦେଶ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଲାଭକରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ । ସେ ଲକ୍ଷ୍ୟ ସିଦ୍ଧ ନ ହେବାଯାଏ ତାଙ୍କ ଜୀବନରେ ମୁହୂର୍ତ୍ତେ ହେଲେ ବିଶ୍ରାମ ନାହିଁ ଏବଂ ଏହି ଲକ୍ଷ୍ୟ ସିଦ୍ଧି ପାଇଁ ସେ ତାଙ୍କ ଜୀବନ ବଳି ଦେବାକୁ ପ୍ରସ୍ତୁତ ଅଛନ୍ତି ।

 

ଜେଲମୁକ୍ତିର ଅବ୍ୟବହିତ ପରେ ଡି. ଭେଲେରା ସିନ୍‌ଫିନ୍‌ ଦଳର ପ୍ରେସିଡେଣ୍ଟ ନିର୍ବାଚିତ ହେଲେ । ଆଇରିସ୍‌ ଗଣତନ୍ତ୍ର ଆନ୍ଦୋଳନ ପୁଣି ପୂର୍ବ ପରି ତୀବ୍ରଗତିରେ ଚଲିଲା । ସାଲିସ ସମାଧାନଦ୍ୱାରା ଆଇରିସ୍‌ମାନଙ୍କୁ କୌଣସିମତେ ସନ୍ତୁଷ୍ଟ କରିବା ଚେଷ୍ଟାରେ ବିଫଳ ହୋଇ ବ୍ରିଟିଶ ସରକାର ପୁଣି ଆୟର୍‌ଲାଣ୍ଡରେ କଠୋର ଦମନନୀତି ପ୍ରୟୋଗ କଲେ । ୧୯୧୮ ମସିହା ମେ ମାସ ୧୮ ତାରିଖ ଡି. ଭେଲେରାଙ୍କ ସମେତ ଆୟର୍‌ଲାଣ୍ଡର ପ୍ରାୟ ସମସ୍ତ ବିପ୍ଳବୀ ନେତାଙ୍କୁ ଗିରଫଦାର କରାହେଲା । ଏଥର ଡି. ଭେଲେରାଙ୍କୁ ଇଂଲଣ୍ଡର ଲିଙ୍କନ୍‌ ଜେଲରେ ଆବଦ୍ଧ କରି ରଖାହେଲା; ମାତ୍ର ସେ ଦୀର୍ଘକାଳ ବନ୍ଦୀ ଭାବରେ ରହି ନଥିଲେ । ସେ କୌଶଳକ୍ରମେ ଜେଲ ବାହାରକୁ ଜଣେ ବନ୍ଧୁଙ୍କଠାକୁ ଚିଠି ଭିତରେ ଜେଲ ଫାଟକ ଚାବିର ଗୋଟିଏ ଅବିକଳ ନକ୍‌ସା କରି ପଠାଇଦେଲେ । ତଦନୁସାରେ ଉକ୍ତ ବନ୍ଧୁଙ୍କଠାରୁ କେକ୍‌ ପିଠା ଭିତରେ ଲୁକ୍‌କାୟିତ ଗୋଟିଏ ଚାବିକାଠି ଏବଂ ଆବଶ୍ୟକମତେ ତାକୁ ଘସିବା ପାଇଁ ଗୋଟିଏ ଉହା ପାଇଲେ । ଏ ଚାବି ସାହାଯ୍ୟରେ ଜେଲ ଫାଟକ ଫିଟାଇ ଦିନେ ସନ୍ଧ୍ୟାବେଳେ ହଠାତ୍ ସେ ଜେଲରୁ ଖସି ଚାଲିଗଲେ । ଡି. ଭେଲେରା ଜେଲରୁ ଖସି ପଳାଇ ଯିବାର ଖବର ଜଣାପଡ଼ିବା ମାତ୍ରେ ସରକାର ତାଙ୍କୁ ଖୋଜିବା ପାଇଁ ସକଳ ପ୍ରକାର ଉଦ୍ୟମ କଲେ; ମାତ୍ର ତାଙ୍କୁ କେହି ଧରିପାରିଲେ ନାହିଁ । ଡି. ଭେଲେରା ପ୍ରଥମେ ମାଞ୍ଚେଷ୍ଟର ସହରକୁ ଯାଇ ସେଠାରେ ଜଣେ ଧର୍ମଯାଜକଙ୍କ ଘରେ କିଛିଦିନ ଲୁଚି ରହିଲେ । ସେଠାରୁ ଲିଭରପୁଲ ଗଲେ ଏବଂ ଲିଭିରପୁଲଠାରୁ ଛଦ୍ମବେଶରେ ଗୋଟିଏ ଜାହାଜରେ ଚଢ଼ି ଆୟର୍‌ଲାଣ୍ଡରେ ଯାଇ ଉପସ୍ଥିତ ହେଲେ । ଗୁପ୍ତପୁଲିସ ପ୍ରତ୍ୟେକ ଜାହାଜ ତନ୍ନତନ୍ନ କରି ଅନୁସନ୍ଧାନ କରୁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇଲେ ନାହିଁ । ପୁଲିସ ଅନୁସନ୍ଧାନ ଶେଷ ପର୍ଯ୍ୟନ୍ତ ଡି. ଭେଲେରା ଗୋଟିଏ ବିଲାତିଆଳୁ ଗଦା ଭିତରେ ଲୁଚି ରହିଥିବାର କଥିତ ଅଛି । କେହି କେହି କହନ୍ତି, ସେ ଗୋଟିଏ ଜାହାଜ ଖଲାସି ପୋଷାକ ପିନ୍ଧି ଡେକ୍‌ ଉପରେ ପ୍ରକାଶ୍ୟ ଭାବରେ ବିଚରଣ କରୁଥିଲେ ମଧ୍ୟ ପୁଲିସ ତାଙ୍କୁ ଚିହ୍ନିପାରି ନଥିଲେ ।

 

ଆୟର୍‌ଲାଣ୍ଡରେ କିଛିଦିନ ଅଜ୍ଞାତବାସ କରିବା ପରେ ଆୟାର୍‌ଲାଣ୍ଡର ସ୍ୱାଧୀନତା ଆନ୍ଦୋଳନର—ପ୍ରଚାର ଏବଂ ସେଥିପାଇଁ ଅର୍ଥସଂଗ୍ରହ କରିବା ଉଦ୍ଦେଶ୍ୟରେ ଡି. ଭେଲେରା ଆମେରିକା ଯିବାର ସ୍ଥିର କଲେ । ମାତ୍ର ସେତେବେଳେ ତାଙ୍କୁ ଖୋଜି ବାହାର କରିବାପାଇଁ ପୁଲିସ ଏତେ ତତ୍‌ପର ହୋଇ ଲାଗି ପଡ଼ିଥାନ୍ତି ଯେ ସେମାନଙ୍କ ଆଖିରେ ଧୂଳି ଦେଇ ଜାହାଜରେ ଆମେରିକା ଯାତ୍ରା କରିବା ଏକ କଠିନ ସମସ୍ୟା ହୋଇଥିଲା । ଯାହାହେଉ ଡି. ଭେଲେରାଙ୍କ ବନ୍ଧୁମାନେ ଆମେରିକାର ଗୋଟିଏ ଜାହାଜର କର୍ମଚାରୀମାନଙ୍କ ସହିତ ଗୁପ୍ତ ବନ୍ଦୋବସ୍ତ କରି ଡି. ଭେଲେରାଙ୍କୁ ସେହି ଜାହାଜରେ ଗୋଟିଏ କୋଇଲା ଯୋଗାଇବା କୁଲି ବେଶରେ ପଠାଇଦେଲେ । ଜାହାଜରେ ନଅ ଦିନ କାଳ ନାନାପ୍ରକାର ଅନୁସନ୍ଧାନ ଓ ଜେରା ଆଦି ଏଡ଼ି ବିଶେଷ କୌଶଳର ସହିତ ସମୁଦ୍ରପଥ ଅତିକ୍ରମ କରି ଶେଷରେ ଡି. ଭେଲେରା ଯାଇ ନିଉୟର୍କ ସହରରେ ପଦାର୍ପଣ କଲେ । ଆମେରିକାରେ ବହୁସଂଖ୍ୟକ ଆଇରିସ୍‌ ଲୋକ ଅଛନ୍ତି । ସେମାନେ ବିଶେଷ ଆଗ୍ରହ ଓ ଉତ୍ସାହର ସହିତ ନିଜର ମୌଳିକ ମାତୃଭୂମି ଆୟର୍‌ଲାଣ୍ଡର ସ୍ୱାଧୀନତା ଲାଗି ସଂଗ୍ରାମ ଚଳାଉଥିବା ଅପ୍ରତିଦ୍ୱନ୍ଦୀ ଜନନାୟକ ଡି. ଭେଲେରାଙ୍କୁ ସର୍ବତ୍ର ମହାସମାରୋହରେ ସ୍ୱାଗତ ଏବଂ ଅଭିବାଦନ କଲେ । ଆମେରିକାର ସବୁ ଶ୍ରେଣୀର ସମ୍ୱାଦପତ୍ରମାନେ ମଧ୍ୟ ଡି. ଭେଲେରାଙ୍କ ଆମେରିକା ଆଗମନର ଉଦ୍ଦେଶ୍ୟ ପ୍ରଚାରରେ ବିଶେଷ ସହାନୁଭୂତିର ସହିତ ସାହାଯ୍ୟ କରିଥିଲେ । ଡି. ଭେଲେରା ପ୍ରାୟ ପାଞ୍ଚମାସ କାଳ ଆମେରିକାର ବଡ଼ବଡ଼ ସହରମାନଙ୍କରେ ବୁଲି ଆମେରିକାବାସୀ ଆଇରିସ୍‌ ଜାତୀୟ ଲୋକମାନଙ୍କ ନିକଟରେ ପରାଧୀନ ଆୟର୍‌ଲାଣ୍ଡର ଦୁଃଖ ଓ ନିର୍ଯ୍ୟାତନାମାନ ଯଥାଯଥ ଭାବରେ ଉପସ୍ଥାପିତ କରି ନିଜ ଦେଶର ସ୍ୱାଧୀନତା ଆନ୍ଦୋଳନ ପ୍ରତି ସେମାନଙ୍କର ପୂର୍ଣ୍ଣ ସହାନୁଭୂତି ଓ ସମର୍ଥନ ଲାଭ କରିଥିଲେ । ଡି. ଭେଲେରାଙ୍କ ପ୍ରଚାର ଫଳରେ ସେ ଆମେରିକାର ଗଣତନ୍ତ୍ର ପକ୍ଷପାତୀ ଜନସାଧାରଣଙ୍କଠାରୁ ଯଥେଷ୍ଟ ଅର୍ଥ ସାହାଯ୍ୟ ସଂଗ୍ରହ କରିଥିଲେ ଏବଂ ଆୟର୍‌ଲାଣ୍ଡର ସ୍ୱାଧୀନତା ସଂଗ୍ରାମ ପାଇଁ ସମଗ୍ର ଆମେରିକାର ପୂର୍ଣ୍ଣ ନୈତିକ ସମର୍ଥନ ପାଇଥିଲେ-। ଚାନ୍ଦା ସଂଗ୍ରହ ଛଡ଼ା ଡି. ଭେଲେରା ସେଠାରେ ‘ଆଇରିସ୍‌ ଜାତୀୟ ଋଣ’ ନାମରେ ଗୋଟିଏ ଋଣପାଣ୍ଠି ମଧ୍ୟ ସଂଗ୍ରହ କରିଥିଲେ । ୧୯୧୯ ମସିହା ଡିସେମ୍ୱର ମାସରେ ସେ ସେଠାରେ ଖବର ପାଇଲେ ଯେ, ଆୟର୍‌ଲାଣ୍ଡରେ ପୁଣି ବିପ୍ଳବର ସୂତ୍ରପାତ ହୋଇଅଛି । ଏତେବେଳେ ସେ ନିଜେ ଆୟର୍‌ଲାଣ୍ଡରେ ଉପସ୍ଥିତ ରହି ବିପ୍ଳବକୁ ସୁନିୟନ୍ତ୍ରିତ କରିବା ଏକାନ୍ତ ଆବଶ୍ୟକ ବୋଲି ତାଙ୍କଠାକୁ ଘନଘନ ଆହ୍ୱାନ ଗଲା । ଆମେରିକାରେ ନିଜର ଉଦ୍ଦେଶ୍ୟ ସିଦ୍ଧ କରି ଡି. ଭେଲେରା ପୂର୍ବପରି ପୁଲିସ ଆଖିରେ ଧୂଳି ପକାଇ ଜେଲ୍‌ଟିକି ନାମକ ଜାହାଜରେ ଆସି ୧୯୧୯ ମସିହା ଡିସମ୍ୱର ମାସରେ ଲିଭର୍‌ପୁଲ୍‌ଠାରେ ଓହ୍ଲାଇଲେ । ସେଠାରୁ ଆୟର୍‌ଲାଣ୍ଡକୁ ଯାଉଥିବା ଗୋଟିଏ ଜାହାଜର ଜଣେ ସହକାରୀ କପ୍ତାନଙ୍କୁ ଏକଶତ ପାଉଣ୍ଡ ଉତ୍କୋଚ ଦେଇ ତାଙ୍କରି କେବିନ୍‌ ଭିତରେ ଲୁଚି କୌଣସିମତେ ଯାଇ ଆୟର୍‌ଲାଣ୍ଡରେ ପଦାର୍ପଣ କଲେ ।

 

ସେତେବେଳକୁ ଆୟର୍‌ଲାଣ୍ଡରେ ଘୋର ଅଶାନ୍ତି ଓ ବିଦ୍ରୋହ ଚାଲିଥିଲା । ଇଉରୋପୀୟ ଯୁଦ୍ଧ ଶେଷ ହେବା ମାତ୍ରେ ୧୯୨୪ ମସିହାରେ ପ୍ରଧାନମନ୍ତ୍ରୀ ଲଏଡ୍‍ ଜର୍ଜଙ୍କ ନେତୃତ୍ୱରେ ବିଲାତ ପାର୍ଲିଆମେଣ୍ଟ ଏକ ଆଇରିସ୍‌-ହୋମ୍‌-ରୁଲ୍‌ ବିଲ୍‍ ପାସ୍‍ କଲା । ଏହାଦ୍ୱାରା ଆୟର୍‌ଲାଣ୍ଡକୁ ଦୁଇଟି ସ୍ୱତନ୍ତ୍ର ରାଜ୍ୟରେ ବିଭକ୍ତ କରାହେଲା । ଦକ୍ଷିଣ ଆୟର୍‌ଲାଣ୍ଡ ପାଇଁ ଡବ୍‌ଲିନ୍‌ଠାରେ ଏବଂ ଉତ୍ତର ଆୟର୍‌ଲାଣ୍ଡ ପାଇଁ ବେଲଫାଷ୍ଟଠାରେ ଏପରି ଦୁଇଟି ସ୍ୱତନ୍ତ୍ର ପାର୍ଲିଆମେଣ୍ଟର ବ୍ୟବସ୍ଥା ହେଲା । ଆୟର୍‌ଲାଣ୍ଡର ଗଣତନ୍ତ୍ରବାଦୀମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ଉଠିଲେ । ବିଲାତ ପାର୍ଲିଆମେଣ୍ଟର ଶହେ ପାଞ୍ଚଜଣ ଆଇରିସ୍‌ ପ୍ରତିନିଧିଙ୍କ ମଧ୍ୟରୁ ସିନ୍‌ଫିନ୍‌ ଦଳର ୭୩ ଜଣ ପ୍ରତିନିଧି ଏହି ତଥାକଥିତ ହୋମ-ରୁଲ ବିଲର ତୀବ୍ର ପ୍ରତିବାଦ ସ୍ୱରୂପ ପାର୍ଲିଆମେଣ୍ଟ ବର୍ଜନ କରି ଡବ୍‌ଲିନ୍‌ଠାରେ ‘ଡେଲଏରାନ୍‌’ ବା ଆଇରିସ୍‌ ନ୍ୟାସନାଲ ଆସେମ୍ଳି ନାମରେ ଏକ ସ୍ୱତନ୍ତ୍ର ଜାତୀୟ ପରିଷଦ ପ୍ରତିଷ୍ଠା କରି ବିଲାତ ପାର୍ଲିଆମେଣ୍ଟରେ ଆଲୋଚିତ ହେଉଥିବା ଆଇରିସ୍‌-ହୋମ୍‌-ରୁଲ ବିଲର ତୀବ୍ର ପ୍ରତିରୋଧ ଆରମ୍ଭ କରିଦେଲେ । ଠିକ୍‌ ଏହି ସମୟରେ ବିଲାତ ପାର୍ଲିଆମେଣ୍ଟରେ ଯେଉଁ ମନ୍ତ୍ରୀମଣ୍ଡଳ ଗଢ଼ା ହୋଇଥିଲା ସେଥିରେ ଆଇରିସ୍‌ ସ୍ୱାଧୀନତା ବିରୋଧୀ ଅଲ୍‌ଷ୍ଟର ଆନ୍ଦୋଳନର ପ୍ରଧାନ ନେତା ସର୍‌ ଏଡ଼ଓ୍ୟାର୍ଡ଼ କାର୍ସନ୍‌ ଏବଂ ଆର୍ଲ ଅଫ୍‌ ବାରନେନ୍‌ ହେଡଙ୍କୁ ଯଥାକ୍ରମେ ଆଡ଼ଭୋକେଟ ଜେନେରାଲ ଏବଂ ଔପନିବେଶିକ ମନ୍ତ୍ରୀ କରାହୋଇଥିଲା । ଏହା ଆଇରିସ୍‌ ଗଣତନ୍ତ୍ରବାଦୀମାନଙ୍କ ପ୍ରତି କଟା ଘା’ରେ ଚୂନ ଦେଲାପରି ହୋଇଥିଲା । ସେମାନଙ୍କ ବିଦ୍ରୋହକୁ ଏହା ଅଧିକ ଇନ୍ଧନ ଯୋଗାଇଲା । ଚରମପନ୍ଥୀ ଆଇରିସ୍‌ ରିପବ୍ଳିକାନ୍‌ ଆର୍ମି ଦଳର ସ୍ୱେଚ୍ଛାସେବକମାନେ କଠୋର ହିଂସାବାଦର ଆଶ୍ରୟ ନେଇ ପୁଲିସ ଫୌଜ ଏବଂ ସରକାରୀ କର୍ମଚାରୀମାନଙ୍କୁ ଯେ ଯେଉଁଠାରେ ପାଇଲେ ନୃଶଂସ ଭାବରେ ହତ୍ୟା କରିବାକୁ ଲାଗିଲେ । ଆୟର୍‌ଲାଣ୍ଡର ଯେଉଁ ନରମପନ୍ଥୀ ନେତା ଓ ପ୍ରତିନିଧିମାନେ ବ୍ରିଟିଶ ସରକାର ସହିତ ସହଯୋଗ କରି ଆସୁଥିଲେ ସେମାନଙ୍କ ଭିତରୁ କେତେକଙ୍କୁ ମଧ୍ୟ ହତ୍ୟା କରାହେଲା । ପକ୍ଷାନ୍ତରେ ବ୍ରିଟିଶ ସରକାର ଅମାନୁଷିକ ଦମନ ନୀତି ଅବଲମ୍ୱନ କରି ବିଦ୍ରୋହୀ ଆଇରିସ୍‌ ଜାତୀୟବାଦୀ ଓ ସେମାନଙ୍କ ସାହାଯ୍ୟକାରୀମାନଙ୍କୁ ଶତଶତ ସଂଖ୍ୟାରେ ହତ୍ୟା କରି ପ୍ରତିହିଂସା ଗ୍ରହଣ କଲେ । ସେତେବେଳେ ବ୍ରିଟିଶ ସରକାର ଯୁଦ୍ଧରୁ ଫେରିଥିବା ସୈନ୍ୟଙ୍କ ଭିତରୁ କେତେକ ଗୁଣ୍ଡାଶ୍ରେଣୀର ନୃଶଂସ ଲୋକଙ୍କୁ ନେଇ Black and Tans ନାମରେ ଏକ ସ୍ୱତନ୍ତ୍ର ପୁଲିସ ଫୌଜ ଗଠନ କରି ଆୟର୍‌ଲାଣ୍ଡବାସୀଙ୍କ ପ୍ରତି ଯେଉଁ ଅକଥନୀୟ ନୃଶଂସତା ପ୍ରୟୋଗ କରିଥିଲେ, ତାହା ଇଂଲଣ୍ଡର ଇତିହାସରେ ଘୋର କଳଙ୍କ ହୋଇ ରହିବ । ବିପ୍ଳବୀମାନେ ଆଶ୍ରୟ ନେଇଥିବା ବହୁସଂଖ୍ୟକ ଗ୍ରାମ ସେମାନେ ପୋଡ଼ି ଛାରଖାର କରି ଦେଇଥିଲେ ଏବଂ ଶୋଇଥିବା ଅବସ୍ଥାରେ ମଧ୍ୟ ବିପ୍ଳବୀମାନଙ୍କୁ ଗୁଳି କରି ମାରିଥିଲେ । ସେତେବେଳେ ଏହି ଦମନନୀତିର ପ୍ରଧାନ ପରିଚାଳକ ରୂପେ ସାର୍‌ ଜନ୍‌ ଅଣ୍ଡର୍‌ସନ୍‌ ବ୍ରିଟିଶ ସରକାରଦ୍ୱାରା ନିଯୁକ୍ତ ହୋଇ ଆୟର୍‌ଲାଣ୍ଡକୁ ଯାଇଥିଲେ । ସେହି ସାର୍‌ ଜନ୍‌ ଅଣ୍ଡର୍‌ସନ୍‌ ପରେ ବଙ୍ଗଳାର ଗଭର୍ଣ୍ଣର ରୂପେ ଭାରତକୁ ଆସିଥିଲେ । ଆଇରିସ୍‌ ବିଦ୍ରୋହୀମାନେ ଏହି ସମୟରେ ଆୟର୍‌ଲାଣ୍ଡର କେତେକ ସହରରେ ସରକାରୀ ସୈନ୍ୟଛାଉଣିମାନ ଆକ୍ରମଣ କରି ପୋଡ଼ି ଭସ୍ମସାତ୍‌ କରି ଦେଇଥିଲେ । ଉଭୟ ପକ୍ଷରୁ ଏ ପ୍ରକାର ନୃଶଂସ ହତ୍ୟାକାଣ୍ଡ ଅନେକ ଦିନ ଧରି ଚାଲିଲା । ସହସ୍ର ସହସ୍ର ଆଇରିସ୍‌ ଯୁବକ ଯୁବତୀ ବନ୍ଦୀଶାଳାରେ ଆବଦ୍ଧ ହେଲେ । ଭାରତରେ ମହାତ୍ମା ଗାନ୍ଧିଙ୍କ ପ୍ରଚାରିତ ଅସହଯୋଗ ନୀତି ଅବଲମ୍ୱନ କରି ଏତେବେଳେ ସିନ୍‌ଫିନ୍‌ ରାଜବନ୍ଦୀମାନେ ଜେଲ ଭିତରେ ଧର୍ମଘଟ ଓ ଅନଶନ କରି ସେଠାରେ ସେମାନଙ୍କ ପ୍ରତି କରାଯାଉଥିବା ଅମାନୁଷିକ ଦୁର୍ବ୍ୟବହାରର ତୀବ୍ର ପ୍ରତିବାଦ କରିଥିଲେ । କର୍କ ସହରର ମେୟର ମ୍ୟାକ୍‌ ସିନ୍ୟୁଇ ୭୪ ଦିନ କାଳ ଜେଲରେ ଅନଶନ କରି ପ୍ରାଣବଳି ଦେଇଥିଲେ । ଏହି ସବୁ ଘଟଣା ଫଳରେ ସମଗ୍ର ପୃଥିବୀର ଜନମତ ବ୍ରିଟିଶ ଦମନନୀତିର ତୀବ୍ର ନିନ୍ଦାବାଦ କରିଥିଲା ।

 

ଡି. ଭେଲେରା ସେତେବେଳେ ଅଜ୍ଞାତବାସ କରି ବିପ୍ଳବୀମାନଙ୍କ ଆନ୍ଦୋଳନ ପରିଚାଳନା କରୁଥିଲେ । ପରେ ପୁଲିସ ବିଦ୍ରୋହୀମାନଙ୍କର ଏକ ଆଡ଼୍‌ଡ଼ା ଖାନତଲାସ କରୁ କରୁ ଡି. ଭେଲେରାଙ୍କୁ ପାଇ ଗିରଫଦାର କଲେ । ମାତ୍ର ସେତେବେଳକୁ ଆୟର୍‌ଲାଣ୍ଡରେ ଘନଘନ ଅଶାନ୍ତି ଓ ବିଦ୍ରୋହ ଫଳରେ ବ୍ରିଟିଶ ସରକାର ବିଶେଷ ବିବ୍ରତ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ସୁତରାଂ ଯେ କୌଣସିମତେ ଆଇରିସ୍‌ମାନଙ୍କୁ ସନ୍ତୁଷ୍ଟ କରି ପୁଣି ଗୋଟାଏ ସାଲିସ ସମାଧାନର ଉଦ୍ୟମ କରିବାପାଇଁ ପ୍ରଧାନମନ୍ତ୍ରୀ ଲଏଡ୍‍ ଜର୍ଜ ଆୟର୍‌ଲାଣ୍ଡର ଶାସନକର୍ତ୍ତାଙ୍କଠାକୁ ଦମନନୀତି ବନ୍ଦ୍ କରିବାକୁ ଜରୁରୀ ଆଦେଶ ପଠାଇଲେ । ଏହାର ଅବ୍ୟବହିତ ପରେ ଲଏଡ୍‍ ଜର୍ଜ ଡି. ଭେଲେରାଙ୍କଠାକୁ ଏକ ବ୍ୟକ୍ତିଗତ ପତ୍ର ଲେଖି ତାଙ୍କ ନିଜ ଇଚ୍ଛା ମୁତାବକ କେତେଜଣ ପ୍ରତିନିଧିଙ୍କୁ ସଙ୍ଗରେ ଘେନି ଆଇରିସ୍‌ ସମସ୍ୟାର ସମାଧାନ ପାଇଁ ଲଣ୍ଡନଠାକୁ ଆସିବାକୁ ସନିର୍ବନ୍ଧ ଅନୁରୋଧ କଲେ । ଏହି ନିମନ୍ତ୍ରଣ ରକ୍ଷା କରି ଡି. ଭେଲେରା କେତେକ ସହକର୍ମୀଙ୍କ ସହିତ ଲଣ୍ଡନ ଆସିଲେ । ବ୍ରିଟିଶ ମନ୍ତ୍ରୀମାନଙ୍କ ସହିତ କିଛିଦିନ ମନ ଖୋଲାଖୋଲି ଭାବରେ ଆଲୋଚନା ଚାଲିବାରେ ଡି. ଭେଲେରା ଦେଖିପାରିଲେ ଯେ ଆୟର୍‌ଲାଣ୍ଡକୁ ପ୍ରକୃତ ଶାସନକ୍ଷମତା ଉଦାରଭାବରେ ଛାଡ଼ିଦେବା ପାଇଁ ବ୍ରିଟିଶ ରାଜନୀତିକମାନେ ପ୍ରସ୍ତୁତ ନୁହନ୍ତି । ସୁତରାଂ ସେ ବିଫଳମନୋରଥ ହୋଇ ଆୟର୍‌ଲାଣ୍ଡକୁ ଫେରିଗଲେ । ସେଠାରେ ସିନ୍‌ଫିନ୍‌ ଦଳର ଏକ୍‌ଜିକ୍ୟୁଟିଭ କମିଟି ସମ୍ମୁଖରେ ବିଲାତ ମନ୍ତ୍ରୀମାନଙ୍କ ପ୍ରସ୍ତାବ ଉପସ୍ଥାପିତ କରାଗଲା । ସିନ୍‌ଫିନ୍‌ କ୍ୟାବିନେଟ୍‌ ସର୍ବସମ୍ମତିକ୍ରମେ ସ୍ଥିର କଲା ଯେ ଏହା କୌଣସିମତେ ଗ୍ରହଣୀୟ ନୁହେ । ସଙ୍ଗେ ସଙ୍ଗେ ଡି. ଭେଲେରା ସେହି କଥା ଲେଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ଲଏଡ୍‍ ଜର୍ଜଙ୍କୁ ଜଣାଇଦେଲେ । ଲଏଡ୍ ଜର୍ଜ ପୁଣି ଥରେ ଲଣ୍ଡନ ଆସିବାକୁ ଡି. ଭେଲେରାଙ୍କୁ ଅନୁରୋଧ କଲେ । ମାତ୍ର ସେ ଲଏଡ୍‌ ଜର୍ଜଙ୍କୁ ରୋକ୍‌ଠୋକ୍‌ ଜଣାଇଦେଲେ ଯେ ବ୍ରିଟିଶ ପ୍ରସ୍ତାବ ମୂଳନୀତିର ଆମୂଳଚୂଳ ପରିବର୍ତ୍ତନ ନ ହେବାଯାଏ ତାହା କଦାପି ଆୟର୍‌ଲାଣ୍ଡବାସୀଙ୍କଦ୍ୱାରା ଗ୍ରହଣୀୟ ହେବ ନାହିଁ । ସୁତରାଂ ତାଙ୍କର ଲଣ୍ଡନ ଯିବାଦ୍ୱାରା କୌଣସି ଉଦ୍ଦେଶ୍ୟ ସାଧିତ ହେବ ନାହିଁ । ଯାହାହେଉ ଲଏଡ୍‌ ଜର୍ଜ ଏବଂ ଡି. ଭେଲେରାଙ୍କ ମଧ୍ୟରେ ଘନଘନ ପତ୍ର ଆଦାନପ୍ରଦାନ ଫଳରେ ଶେଷରେ ଡି. ଭେଲେରା ଦିନେ ନ ଆସି ତାଙ୍କର ମାଇକେଲ, କଲିନ୍‌ସ୍ ପ୍ରଭୃତି ପ୍ରଧାନ ସହକର୍ମୀଙ୍କୁ ବ୍ରିଟିଶ ମନ୍ତ୍ରୀମଣ୍ଡଳ ସହିତ ଆଲୋଚନା କରିବାପାଇଁ ଲଣ୍ଡନ ପଠାଇଲେ । ପ୍ରଧାନମନ୍ତ୍ରୀଙ୍କ ଅଫିସରେ ଦୁଇମାସ କାଳ ଦୀର୍ଘ ଆଲୋଚନା ପରେ ଉଭୟ ପକ୍ଷ ମଧ୍ୟରେ ସାଲିସ ସମାଧାନ ନିମନ୍ତେ କେତେଗୁଡ଼ିଏ ସର୍ତ୍ତ ସ୍ଥିର ହେଲା । ସୁତରାଂ ସନ୍ଧି ସର୍ତ୍ତରେ ଆୟର୍‌ଲାଣ୍ଡକୁ ଏକ ସ୍ୱତନ୍ତ୍ର ଗଣତନ୍ତ୍ର ରୂପେ ସ୍ୱୀକାର କରାଗଲା ନାହିଁ; ମାତ୍ର ଅନ୍ୟାନ୍ୟ ବ୍ରିଟିଶ ଉପନିବେଶମାନଙ୍କର ଏ ପର୍ଯ୍ୟନ୍ତ ଯେ କ୍ଷମତା ଏବଂ ସ୍ୱାତନ୍ତ୍ର୍ୟ ଥିଲା ତାହାଠାରୁ ଅଧିକ ସ୍ୱାଧୀନତା ଆୟର୍‌ଲାଣ୍ଡକୁ ଦିଆଗଲା । ଏ ସର୍ତ୍ତ ଗ୍ରହଣ ନ କଲେ ସଙ୍ଗେ ସଙ୍ଗେ ବ୍ରିଟିଶ ସରକାର ଆୟର୍‌ଲାଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବେ ବୋଲି ଲଏଡ୍‌ ଜର୍ଜ ଧମକ ଦେଲେ । ଆୟର୍‌ଲାଣ୍ଡ ପକ୍ଷରୁ ମାଇକେଲ କଲିନ୍‌ସ ସନ୍ଧିପତ୍ରରେ ସ୍ୱାକ୍ଷର କଲେ; ମାତ୍ର ଏ ସନ୍ଧିସର୍ତ୍ତ ଯେତେବେଳେ ଶେଷ ସମର୍ଥନ ପାଇଁ ଆଇରିସ୍‌ ନେତାମାନଙ୍କ ଆଗରେ ଉପସ୍ଥାପିତ ହେଲା ସେତେବେଳେ ସେମାନଙ୍କ ମଧ୍ୟରେ ତୀବ୍ର ମତଭେଦ ଜାତ ହେଲା । ଡି. ଭେଲେରା ଏ ସର୍ତ୍ତରେ ଆଦୌ ସନ୍ତୁଷ୍ଟ ହେଲେ ନାହିଁ । ସେ ମତ ପ୍ରକାଶ କଲେ ଯେ ଯେଉଁ ସ୍ୱାଧୀନତା ପାଇଁ ଆୟର୍‌ଲାଣ୍ଡବାସୀ ଏତେ ତ୍ୟାଗ ଓ କଷ୍ଟ ସ୍ୱୀକାର କରି ଆସିଛନ୍ତି, ସେ ସ୍ୱାଧୀନତା କଦାପି ଏ ପ୍ରକାର ସମାଧାନଦ୍ୱାରା ଲାଭ ହେବନାହିଁ । ମାଇକେଲ୍‌ କଲିନ୍‌ସ ଲଏଡ୍ ଜର୍ଜଙ୍କ ପରି ବିଚକ୍ଷଣ ବ୍ରିଟିଶ ରାଜନୀତିକଙ୍କ କୂଟଜାଲରେ ପଡ଼ି ଭଣ୍ଡି ହୋଇଗଲେ ବୋଲି ସେ ତାଙ୍କୁ ଓ ଅନ୍ୟାନ୍ୟ ସ୍ୱାକ୍ଷରକାରୀ ପ୍ରତିନିଧିଙ୍କୁ ତୀବ୍ର ସମାଲୋଚନା କଲେ । ଏହିପରି ଭାବରେ ଆୟର୍‌ଲ୍ୟାଣ୍ଡର ସ୍ୱାଧୀନତା ଆନ୍ଦୋଳନକାରୀ ନେତାମାନେ ଦୁଇଟି ଦଳରେ ବିଭକ୍ତ ହୋଇଗଲେ । ମାଇକେଲ୍‌ କଲିନ୍‌ସ ଓ ଅର୍ଥର ଗ୍ରିଫ୍‌ଥସ୍‌ ପ୍ରଭୃତି ବର୍ତ୍ତମାନ ପାଇଁ ଏ ସନ୍ଧିସର୍ତ୍ତ ଗ୍ରହଣ କରି ଆଇରିସ୍‌ ଫ୍ରିଷ୍ଟେଟ୍‍ର ଶାସନ ପରିଚାଳନା ଭାର ଗ୍ରହଣ କରିବାକୁ ପ୍ରସ୍ତୁତ ହେଲେ । ମାତ୍ର ଡି. ଭେଲେରା ଓ ରୋରି ଓକନର ପ୍ରଭୃତି ଚରମପନ୍ଥୀ ପୂର୍ଣ୍ଣ ଗଣତନ୍ତ୍ରବାଦୀମାନେ ଏଥିରେ ରାଜି ହେଲେ ନାହିଁ । ଶେଷରେ ସିନ୍‌ଫିନ୍‌ କାଉନ୍‌ସିଲ ସମକ୍ଷରେ ବ୍ରିଟିଶମାନଙ୍କ ସହିତ ହୋଇଥିବା ସନ୍ଧିସର୍ତ୍ତ ଉପସ୍ଥାପିତ ହେଲା । ଦଳର ବହୁମତ କଲିନ୍‌ସ ଗ୍ରିଫ୍‌ଥସ୍‌ଙ୍କ ପକ୍ଷ ସମର୍ଥନ କରିବାରୁ ଡି. ଭେଲେରା ସିନ୍‌ଫିନ୍‌ ଦଳର ପ୍ରେସିଡେଣ୍ଟ ତଥା ସଭ୍ୟପଦରୁ ସୁଦ୍ଧା ଇସ୍ତଫା ଦେଇ ଦଳରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଗଲେ । ସନ୍ଧିସର୍ତ୍ତ ଗ୍ରହଣକାରୀମାନେ ଅର୍ଥର ଗ୍ରିଫ୍‌ଥସ୍‌ଙ୍କ ପ୍ରଧାନମନ୍ତ୍ରୀତ୍ୱରେ ମନ୍ତ୍ରିମଣ୍ଡଳ ଗଢ଼ି ଶାସନଭାର ହାତକୁ ନେଲେ । ଡି. ଭେଲେରାଙ୍କ ଦଳ ସେମାନଙ୍କଠାରୁ ପୃଥକ୍‌ ହୋଇଯାଇ ସରକାରର ବିରୋଧ କରିବାକୁ ନିଜ ଦଳକୁ ଦୃଢ଼ଭାବରେ ସଂଗଠନ କରିବାରେ ଲାଗିଲେ । ମାଇକେଲ କଲିନ୍‌ସ ଓ ଗ୍ରିଫ୍‌ଥସ୍‌ ଡି. ଭେଲେରାଙ୍କ ସହଯୋଗ ପାଇବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେବାରୁ ସେମାନଙ୍କ ମନରେ ମଧ୍ୟ କ୍ରୋଧ ଓ ଜିଦ୍‌ ବଢ଼ିଲା । ଏହି ଭାବରେ ଏତାବତ୍‌କାଳ ଘନିଷ୍ଠ ସହକର୍ମୀ ରୂପେ କାର୍ଯ୍ୟ କରି ଆସୁଥିବା ଆଇରିସ୍‌ ଜାତୀୟବାଦୀମାନେ ଦୁଇଟି ବିରୁଦ୍ଧ ଦଳରେ ବିଭକ୍ତ ହୋଇଗଲେ; ବ୍ରିଟିଶ୍‌ ରାଜନୀତିକମାନଙ୍କର ଭେଦନୀତି ଫଳପ୍ରଦ ହେଲା ।

 

ଆଇରିସ୍‌ ରିପବ୍ଳିକାନ ଆର୍ମିର ଚରମପନ୍ଥୀମାନେ ସହଯୋଗକାରୀ ଗ୍ରିଫ୍‌ଥସ୍‍ କଲିନ୍‌ସଙ୍କ ନୂତନ ଫ୍ରିଷ୍ଟେଟ୍‍ ସରକାରର କାର୍ଯ୍ୟକୁ ଅଚଳ କରିଦେବା ପାଇଁ ସ୍ଥାନେ ସ୍ଥାନେ ଗଣ୍ଡଗୋଳ ଆରମ୍ଭ କଲେ । ଆଇରିସ୍‌ ସରକାରର ସୈନ୍ୟଫୌଜ ଭିତରେ ମଧ୍ୟ ବିଦ୍ରୋହର ସୂଚନା ଦେଖାଗଲା । ମାଇକେଲ କଲିନ୍‌ସ ବା ଗ୍ରିଫ୍‌ଥସ୍‍ ପ୍ରଭୃତି ମନ୍ତ୍ରୀମାନେ କୌଣସି ସାଧାରଣ ସଭାରେ ବକ୍ତୃତା ଦେବାକୁ ଯିବା ପୂର୍ବରୁ ବିପ୍ଳବୀମାନେ ଯାଇ ସେ ସବୁ ସଭାମଣ୍ଡପ ଭାଙ୍ଗି ଚୂରମାର କରି ଦେଉଥିଲେ । ଶହଶହ ଡାକଘର, ବ୍ୟାଙ୍କ ଏବଂ ଦୋକାନମାନ ଆକ୍ରମଣ କରାଯାଇ ହିସାବପତ୍ର ନଷ୍ଟ କରି ଦିଆହେଲା ଏବଂ ଧନସମ୍ପତ୍ତି ଓ ଟଙ୍କାପଇସା ଲୁଟ କରାଗଲା । ପ୍ରାୟ ପ୍ରତିଦିନ ସରକାରୀ ଫୌଜ ଓ ବିପ୍ଳବୀମାନଙ୍କ ଭିତରେ ସଂଘର୍ଷ ଲାଗିଯାଉଥିଲା । ଡି. ଭେଲେରା ସେତେବେଳେ ବିପ୍ଳବୀମାନଙ୍କୁ କୌଣସି ଉତ୍ସାହ ବା ପ୍ରବର୍ତ୍ତନା ନ ଦେଉଥିଲେ ମଧ୍ୟ ସେମାନଙ୍କ ଗଣ୍ଡଗୋଳର ବିରୋଧ କରିବା ପାଇଁ କୌଣସି ବିଧିବଦ୍ଧ ଉଦ୍ୟମ କରୁ ନଥିଲେ । ସେ ସାଧାରଣ ସଭାମାନଙ୍କରେ ବକ୍ତୃତା ଦେଇ ଲୋକଙ୍କୁ ବରାବର ବୁଝାଉଥିଲେ ଯେ, ଦେଶରେ ଏ ପ୍ରକାର ଆଭ୍ୟନ୍ତରୀଣ ଗଣ୍ଡଗୋଳ ଓ ଧନଜନ କ୍ଷୟ ଲାଗି ଗ୍ରିଫ୍‌ଥସ୍‍ ଓ କଲିନ୍‌ସଙ୍କର ରାଜନୀତିକ ବିଚକ୍ଷଣତା ଓ ଦୂରଦୃଷ୍ଟିର ଅଭାବହିଁ ମୁଖ୍ୟତଃ ଦାୟୀ । ଉପସ୍ଥିତ ଶାସନ ଯୋଜନାରେ ଆୟର୍‌ଲାଣ୍ଡବାସୀ କଦାପି ସନ୍ତୁଷ୍ଟ ହେବେ ନାହିଁ, ଏ କଥା ବୁଝିଥିଲେ ନୂତନ ସରକାର କଦାପି ବ୍ରିଟିଶ କୂଟନୀତିଜ୍ଞମାନଙ୍କ ହାତବାରସି ହୋଇ ନିଜ ଦେଶର ଏ ଅନ୍ତର୍ଯୁଦ୍ଧ ଓ ଧନଜନ କ୍ଷୟରେ ନିମିତ୍ତ ହୋଇ ନ ଥାନ୍ତେ । କ୍ରମେ ଡି. ଭେଲେରାଙ୍କ ପ୍ରଚାର ଫଳରେ ନୂତନ ସରକାର ପ୍ରତି ଆୟର୍‌ଲାଣ୍ଡବାସୀଙ୍କର ଅଶ୍ରଦ୍ଧା ଓ ବିରକ୍ତି ବଢ଼ିବାକୁ ଲାଗିଲା । ଏହି ଆଭ୍ୟନ୍ତରୀଣ ଅଶାନ୍ତି ସମାଧାନ ପାଇଁ ଡବ୍‌ଲିନ୍‌ର ପ୍ରଧାନ ଧର୍ମଯାଜକଙ୍କ ମଧ୍ୟସ୍ଥତାରେ ଉଭୟ ପକ୍ଷ ନେତାମାନଙ୍କ ମଧ୍ୟରେ ଏକ ସମ୍ମିଳନୀ ଡାକିବାର ବ୍ୟବସ୍ଥା ହେଲା । ମାତ୍ର ଏ ଆଲୋଚନାରେ କୌଣସି ପକ୍ଷ ଅନ୍ୟକୁ ନିଜ ମତକୁ ଆକୃଷ୍ଟ କରିପାରି ନଥିଲେ । ସୁତରାଂ ସମାଧାନ ସମ୍ଭବପର ହେଲା ନାହିଁ; ଗଣ୍ଡଗୋଳ ପୂର୍ବପରି ଚାଲିଲା । ଡି. ଭେଲେରାଙ୍କ ପ୍ରଧାନ ସହକର୍ମୀ ରୋରି ଓକନର୍‌ ବିପ୍ଳବୀ ସ୍ୱେଚ୍ଛାସେବକଙ୍କ ସାହାଯ୍ୟରେ ସମସ୍ତ ବିଚାର ଅଦାଲତ ଘରମାନ ଦଖଲ କରିଦେଇ ବିଚାରପତିମାନଙ୍କୁ ସେଠାକୁ ପୂରାଇ ଦେଲେ ନାହିଁ । ବର୍ଷାଧିକକାଳ ଏହିପରି ନାନା ଅଶାନ୍ତି ଓ ଗଣ୍ଡଗୋଳ ଚାଲିବା ପରେ ଉଭୟପକ୍ଷ ମଧ୍ୟରେ ଏକ ଅସ୍ଥାୟୀ ଶାନ୍ତି ସଂସ୍ଥାପିତ ହେଲା । ଇଂଲଣ୍ଡ ସଙ୍ଗେ ହୋଇଥିବା ସନ୍ଧିସର୍ତ୍ତ ବିଷୟରେ ପ୍ରକୃତ ଜନମତ ଜାଣିବାପାଇଁ ଏକ ସାଧାରଣ ନିର୍ବାଚନ କରିବାର ବ୍ୟବସ୍ଥା ହେଲା । ମାତ୍ର ଏ ନିର୍ବାଚନରେ ଡି. ଭେଲେରାଙ୍କ ଦଳ ପରାସ୍ତ ହେଲେ । ସନ୍ଧିସର୍ତ୍ତକୁ ସମର୍ଥନ କରୁଥିବା ପ୍ରତିନିଧିଙ୍କ ସଂଖ୍ୟା ଏ ନିର୍ବାଚନରେ ନୂଆ ପାର୍ଲିଆମେଣ୍ଟରେ ଖୁବ୍‌ ବେଶୀ ହେଲା । ଡି. ଭେଲେରା ଦେଖିପାରିଲେ ଯେ ଦେଶବାସୀ ବର୍ତ୍ତମାନ କୌଣସିମତେ ଶାନ୍ତି ଚାହାନ୍ତି । ସୁତରାଂ ସେ ଧୈର୍ଯ୍ୟ ଅବଲମ୍ବନ କରି ବର୍ତ୍ତମାନ ପାଇଁ ଶାନ୍ତ ରହିବାକୁ ଏବଂ ସଂଗଠନଦ୍ୱାରା ଭବିଷ୍ୟତରେ ନିଜ ଦଳର ଶକ୍ତି ବୃଦ୍ଧି କରିବାକୁ ସ୍ଥିର କଲେ ।

 

ଡି. ଭେଲେରା ଆଇରିସ୍‌ ଫ୍ରିଷ୍ଟେଟ୍‍ ସରକାରର ପ୍ରତ୍ୟକ୍ଷ ବିରୋଧରୁ କ୍ଷାନ୍ତ ହେଲେ ସତ, ମାତ୍ର ଆଇରିସ୍‌ ରିପବ୍ଳିକାନ୍ ଆର୍ମିର ଅନ୍ୟ ଦଳେ ଚରମପନ୍ଥୀ ଲୋକ ବିପ୍ଳବ ଏବଂ ଗଣ୍ଡଗୋଳରୁ ନିରସ୍ତ ହେଲେ ନାହିଁ । ସେମାନେ ଇଂରେଜ ସେନାପତି ଫିଲ୍‌ଡ଼ ମାର୍ଶାଲ ସାର ହେନେରି ଉଇଲ୍‌ସନ୍‌ଙ୍କୁ ଅତର୍କିତ ଭାବରେ ତାଙ୍କ ଘରର ଦୁଆର ମୁହଁରେ ହତ୍ୟା କଲେ । ଆଇରିସ୍ ସେନାବାହିନୀର ପ୍ରଧାନ ସେନାପତି ଜେନେରାଲ ଓକୋନଲଙ୍କୁ ନିଜ ଶିବିରକୁ ଫେରୁଥିବା ବାଟରେ ବିଦ୍ରୋହୀମାନେ ଧରି ହରଣଚାଳ କରି ନେଇଗଲେ । ସୁତରାଂ ଫ୍ରିଷ୍ଟେଟ୍‌ ସରକାର ବିଦ୍ରୋହୀମାନଙ୍କୁ ଏକାବେଳକେ ମୂଳପୋଛ କରିଦେବା ପାଇଁ ବିଦ୍ଧପରିକର ହୋଇ ମାଇକେଲ କଲିନ୍‌ସଙ୍କୁ ପ୍ରଧାନ ସେନାପତି ନିଯୁକ୍ତି କଲେ । ପୁଣି ଉଭୟପକ୍ଷ ମଧ୍ୟରେ ସ୍ଥାନେ ସ୍ଥାନେ ସଂଘର୍ଷ ଲାଗିଗଲା । ଉଭୟ ପକ୍ଷରୁ କେତେଜଣ ପ୍ରଧାନ ପ୍ରଧାନ ନେତା ନିହତ ହେଲେ । ଗ୍ରିଫ୍‌ଥସ୍‍ଙ୍କର ହଠାତ୍‌ ହୃତ୍‌ପିଣ୍ଡ କ୍ରିୟା ବନ୍ଦ ହୋଇ ସ୍ୱାଭାବିକ ମୃତ୍ୟୁ ହୋଇଗଲା । କଲିନ୍‌ସଙ୍କୁ ବିଦ୍ରୋହୀମାନେ ସୁବିଧାରେ ପାଇ ତାଙ୍କୁ ମଟର ଭିତରେ ଗୁଳି କରି ମାରିଦେଲେ । ଚରମପନ୍ଥୀ ବିଦ୍ରୋହୀମାନଙ୍କ ମଧ୍ୟରୁ ହାରି ବୋଲାଣ୍ଡ ଏବଂ କ୍ୟାଥାଲ୍‌ ବର୍ଗା ମଧ୍ୟ ସରକାରୀ ସେନାଦଳ ସହିତ ଯୁଦ୍ଧରେ ନିହତ ହେଲେ ।

 

ସରକାର ପକ୍ଷର ଦୁଇଜଣ ପ୍ରଧାନ ନେତାଙ୍କର ମୃତ୍ୟୁ ହୋଇ ଯିବାରୁ ନୂତନ ଫ୍ରିଷ୍ଟେଟ୍‌ ସରକାରର ଶାସନକାର୍ଯ୍ୟ ପରିଚାଳନା ପାଇଁ ଆଉ କେହି ବହୁଦର୍ଶୀ ବିଚକ୍ଷଣ ନେତା ରହିଲେ ନାହିଁ-। ସୁତରାଂ ଦେଶର ଏ ବିପଦବେଳେ ସମସ୍ତେ ଡି. ଭେଲେରାଙ୍କଆଡ଼କୁ ଦେଶ ଶାସନର ନେତୃତ୍ୱ ଗ୍ରହଣ କରିବାପାଇଁ ଚାହିଁ ରହିଲେ । ମାତ୍ର ଡି. ଭେଲେରା ବ୍ରିଟିଶ ସରକାର ସହିତ ସନ୍ଧିର ପକ୍ଷପାତୀ ଆଇରିସ୍‍ ସରକାରକୁ ସମ୍ପୂର୍ଣ୍ଣ ବଦନାମ କରିବାପାଇଁ ଲୋକମତ ସଂଗଠନ କରିବାରେ ଲାଗି ପଡ଼ିଥିଲେ । ସୁତରାଂ ସରକାରୀ ଶାସନ ପରିଷଦରେ ସେ ସହଯୋଗ କରିବାକୁ ପ୍ରସ୍ତୁତ ହେଲେ ନାହିଁ ।

 

ଆଇରିସ୍‌ ଫ୍ରିଷ୍ଟେଟ୍‌ର ପ୍ରସିଡେଣ୍ଟ ରୂପେ ଗ୍ରିଫ୍‍ଥସ୍‍ଙ୍କ ସ୍ଥାନ କସ୍‌ଗ୍ରେଭ ଅଧିକାର କଲେ-। କ୍ଳେୟାରଠାରୁ ତାଙ୍କୁ ସ୍ପେଶାଲ ଟ୍ରେନଯୋଗେ କଡ଼ା ସୈନ୍ୟଫୌଜ ପହରାରେ ଡବ୍‌ଲିନ ସହରକୁ ନିଆଗଲା । କସ୍‌ଗ୍ରେଭ ଯେଉଁମାନଙ୍କୁ ନେଇ ନୂତନ ମନ୍ତ୍ରିମଣ୍ଡଳ ଗଢ଼ିଲେ ସେମାନଙ୍କ ଭିତରୁ ଅଧିକାଂଶଙ୍କର ଜନସାଧାରଣଙ୍କ ଭିତରେ କୌଣସି ପ୍ରଭାବ ପ୍ରତିପତ୍ତି ନ ଥିଲା ବା ଶାସନକାର୍ଯ୍ୟ ପରିଚାଳନାରେ କୌଣସି ବହୁଦର୍ଶିତା ନ ଥିଲା । ସୁତରାଂ ଅଳ୍ପ ସମୟ ମଧ୍ୟରେ କସ୍‌ଗ୍ରେଭଙ୍କ ଏହି ନୂତନ ମନ୍ତ୍ରିପରିଷଦକୁ ଲୋକଙ୍କ ଭିତରେ ଅପ୍ରିୟ କରିଦେବା ଡି. ଭେଲେରାଙ୍କ ପକ୍ଷରେ କଷ୍ଟକର ହେଲା ନାହିଁ । ସରକାରୀ ମନ୍ତ୍ରୀମାନେ ମଧ୍ୟ ରୋରି ଓକନର୍‌ ପ୍ରଭୃତି ବିଶିଷ୍ଟ ବିପ୍ଳବୀଙ୍କୁ ଫାଶୀ ଦେଇ ନିଜର ଅପ୍ରିୟତା ଆହୁରି ବଢ଼ାଇଦେଲେ । ଏ ପର୍ଯ୍ୟନ୍ତ ଡି. ଭେଲେରା ପ୍ରଚ୍ଛନ୍ନ ଭାବରେ ରହି ସରକାର ବିରୁଦ୍ଧରେ ପ୍ରଚାର ଓ ବିଦ୍ରୋହ ଚଳାଉଥିଲେ । ସେ ଅଧିକାଂଶ ସମୟ ଡବ୍‌ଲିନ୍ ସହରରେହିଁ ରହୁଥିଲେ । ପୁଲିସ ମଧ୍ୟ ତାଙ୍କର ପତ୍ତା ପାଉ ନଥିଲେ । ୧୯୨୩ ମସିହାରେ ଆଇରିସ୍‌ ପାର୍ଲିଆମେଣ୍ଟ ପାଇଁ ଏକ ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଡି. ଭେଲେରାଙ୍କ ବନ୍ଧୁମାନେ ତାଙ୍କୁ ରାଜି କରାଇଲେ । ଏହା ମଧ୍ୟରେ କେତେକ ବନ୍ଧୁଙ୍କ ମଧ୍ୟସ୍ଥତାରେ କସ୍‌ଗ୍ରେଭ ଓ ଡି. ଭେଲେରା ଉଭୟପକ୍ଷ ମଧ୍ୟରେ ଗୋଟିଏ ସାଲିସ ସମାଧାନ ହୋଇ ସରକାର ପକ୍ଷ ପ୍ରତିଶ୍ରୁତି ଦେଇଥିଲେ ଯେ ଡି. ଭେଲେରା ବା ତାଙ୍କ ଦଳର କାହାରିକୁ ଗିରଫଦାର କରାଯିବ ନାହିଁ-। ଡି. ଭେଲେରା ମଧ୍ୟ ବିଦ୍ରୋହୀମାନଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦଳର ସ୍ୱେଚ୍ଛାସେବକମାନେ ଆଉ କୌଣସି ପ୍ରକାର ଗଣ୍ଡଗୋଳ ବା ଅଶାନ୍ତି ଘଟାଇବେ ନାହିଁ-। ଡି. ଭେଲେରାଙ୍କ ଘୋଷଣା ଫଳରେ ଆଇରିସ୍‌ ରିପବ୍ଳିକାନ ଆର୍ମିର ସ୍ୱେଚ୍ଛାସେବକ ସେମାନଙ୍କ ଗୁଳି ବାରୁଦ ଓ ଅସ୍ତ୍ରଶସ୍ତ୍ର ଆଣି ନେତାମାନଙ୍କ ପାଖରେ ଜମା କରି ଦେଇଥିଲେ । କସ୍‌ଗ୍ରେଭ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଡି. ଭେଲେରାଙ୍କ ବିରୁଦ୍ଧରେ ପୂର୍ବରୁ ବାହାରିଥିବା ଗିରଫଦାରୀ ଓ୍ୱାର୍ରେଣ୍ଟ ସରକାର ପ୍ରତ୍ୟାହାର କରିନେଲେ । ମାତ୍ର କାର୍ଯ୍ୟତଃ କସ୍‌ଗ୍ରେଭ ସରକାର ନିଜର ପ୍ରତିଶ୍ରୁତି ଭଙ୍ଗ କରି କ୍ଳେୟାର ସହରରେ ଏକ ନିର୍ବାଚନ ସଭାରେ ବକ୍ତୃତା ଦେଉଥିବାବେଳେ ତାଙ୍କୁ ହଠାତ୍‌ ଗିରଫଦାର କଲେ । ଆଇରିସ୍‌ ଜନସାଧାରଣଙ୍କ ଭିତରେ କସ୍‌ଗ୍ରେଭଙ୍କର ବିଶେଷ ପ୍ରଭାବ ପ୍ରତିପତ୍ତି ନଥିଲା । କାରଣ ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ସେ ଉଲ୍ଲେଖଯୋଗ୍ୟ ତ୍ୟାଗ ବା ନିଷ୍ଠା ଦେଖାଇ ନଥିଲେ । କେବଳ ୧୯୧୬ ମସିହାର ଇଷ୍ଟର ବିଦ୍ରୋହ ବେଳେ ବିଦ୍ରୋହୀମାନଙ୍କ ସହିତ ଯୋଗ ଦେଇଥିବା ହେତୁ ଡି. ଭେଲେରାଙ୍କ ଶିଷ୍ୟ ଓ ସହକର୍ମୀ ରୂପେ ତାଙ୍କର ଯାହା କିଛି ନାମ ଥିଲା । ସେହି ବଳରେ ସେ ଡବ୍‌ଲିନ୍ ସହରର ମେୟର ବା ମ୍ୟୁନିସପାଲିଟି ଚେୟାରମ୍ୟାନ୍ ପଦ ପାଇଥିଲେ । ବର୍ତ୍ତମାନ ବ୍ରିଟିଶ ସହିତ ସନ୍ଧିର ପକ୍ଷପାତୀ ଦଳ ମଧ୍ୟରେ ଆଉ କେହି ଟାଣୁଆ ଓ ଉପଯୁକ୍ତ ଲୋକ ନ ମିଳିବାରୁ କସ୍‌ଗ୍ରେଭ ପ୍ରଧାନମନ୍ତ୍ରୀ ପଦ ସୁବିଧାରେ ପାଇଗଲେ । କସ୍‌ଗ୍ରେଭ ସରକାରର ଏ ବିଶ୍ୱାସଘାତକତାରେ ଆୟର୍‌ଲାଣ୍ଡର ଜନମତ ବଡ଼ ଉତ୍ତ୍ୟକ୍ତ ହୋଇ ଉଠିଲା-। ଡି. ଭେଲେରାଙ୍କୁ ନେଇ ଡବ୍‌ଲିନ୍‌ ସହରରେ ବନ୍ଦୀ କରି ରଖାହେଲା; ମାତ୍ର ନିର୍ବାଚନରେ ଦେଖାଗଲା ଯେ ଜେଲରେ ଥାଇ ନିର୍ବାଚନ ପ୍ରଚାରରେ ବେଶି କିଛି ଉଦ୍‌ଯୋଗ ନ କରି ମଧ୍ୟ ଡି. ଭେଲେରା ବହୁସଂଖ୍ୟକ ଭୋଟ ପାଇ କ୍ଳେୟାର ନିର୍ବାଚନମଣ୍ଡଳୀରୁ ଆଇରିସ୍‌ ଡେଲ ବା ପାର୍ଲିଆମେଣ୍ଟକୁ ନିର୍ବାଚିତ ହେଲେ । ମାତ୍ର ଡି. ଭେଲେରାଙ୍କୁ ପୂରା ବର୍ଷେକାଳ ବିନା ବିଚାରରେ ବନ୍ଦୀ ହୋଇ ରହିବାକୁ ପଡ଼ିଲା । ଶେଷରେ ୧୯୨୪ ମସିହାରେ କସ୍‌ଗ୍ରେଭ ସରକାର ଉତ୍ତ୍ୟକ୍ତ ଜନତାକୁ ସନ୍ତୁଷ୍ଟ କରିବାପାଇଁ ବାଧ୍ୟ ହୋଇ ତାଙ୍କୁ ଖଲାସ କରିଦେଲେ ।

 

୧୯୨୪ ମସିହାରେ ଜେଲରୁ ଖଲାସ ହେବା ମାତ୍ରେ ଯେଉଁ କ୍ଳେୟାର ସହରରେ ସାଧାରଣ ସଭାରେ ବକ୍ତୃତା ଦେଲାବେଳେ ତାଙ୍କୁ ଗିରଫଦାର କରାହୋଇଥିଲା, ସେ ସିଧା ସେହିଠାକୁ ପ୍ରଥମେ ଯାଇ ଏକ ବିରାଟ ସାଧାରଣ ସଭାରେ ତାଙ୍କର ଅପୂର୍ଣ୍ଣ ବତ୍କୃତାକୁ ପୂର୍ଣ୍ଣ କରି ବର୍ଷାଧିକ କାଳ ମଧ୍ୟରେ କସ୍‌ଗ୍ରେଭ୍ ସରକାର ଯେ ନୀତି ଅବଲମ୍ବନ କରିଥିଲେ ତାହାର ତୀବ୍ର ସମାଲୋଚନା କଲେ । ଏହାପରେ ଡି. ଭେଲେରା ଅଲ୍‌ଷ୍ଟର ଅଞ୍ଚଳକୁ ଯାଇ ସେଠାରେ ଅନେକଗୁଡ଼ିଏ ସାଧାରଣ ସଭାରେ ଆୟର୍‌ଲାଣ୍ଡର ଉଭୟ ଅଞ୍ଚଳ ପରସ୍ପରଠାରୁ ପୃଥକ୍‌ ହୋଇ ରହିବାଦ୍ୱାରା କିପରି ସମଗ୍ର ଦେଶ ଓ ଆଇରିସ୍‌ ଜାତି ପୃଥିବୀ ସମକ୍ଷରେ ଦୁର୍ବଳ ହୋଇ ପଡ଼ୁଛି ତାହା ବୁଝାଇଥିଲେ । କସ୍‌ଗ୍ରେଭ ସରକାର ପ୍ରକୃତ ଜନମତ ପ୍ରତି ଭ୍ରୂକ୍ଷେପ ନ କରି ମନମୁଖୀ ଶାସନ ଚଳାଇ କେବଳ ନିଜର ଓ ନିଜ ଦଳର ସ୍ୱାର୍ଥ ସାଧନରେ ଲାଗିଛନ୍ତି—ଏହି ଧାରଣା କ୍ରମେ ଆୟର୍‌ଲାଣ୍ଡର ଜନସାଧାରଣଙ୍କ ମଧ୍ୟରେ ବଦ୍ଧମୂଳ ହେଲା । କସ୍‌ଗ୍ରେଭ୍ ସରକାର କ୍ରମେ ବଡ଼ ଅପ୍ରିୟ ହୋଇ ପଡ଼ିଲେ ।

 

୧୯୨୫ ମସିହାରେ ଡି. ଭେଲେରା ‘ଫିଆନାଫେଲ’ ବା ‘ଆଇରିସ୍‌ ସୈନ୍ୟଦଳ’ ନାମରେ ଏକ ନୂତନ ଦଳ ଗଠନ କଲେ । ଫ୍ରିଷ୍ଟେଟ୍‍ ପାର୍ଲିଆମେଣ୍ଟକୁ ଏ ଦଳରୁ ଯେଉଁ ପ୍ରାର୍ଥୀମାନେ ନିର୍ବାଚିତ ହେଲେ ସେମାନେ ପାର୍ଲିଆମେଣ୍ଟରେ ଯୋଗ ଦେଲେନାହିଁ ବା ଫ୍ରିଷ୍ଟେଟ୍‍ ଶାସନଯୋଜନାନୁସାରେ ନିର୍ଦ୍ଦିଷ୍ଟ ଥିବା ରାଜାଙ୍କ ପ୍ରତି ରାଜଭକ୍ତିସୂଚକ ଶପଥ ଗ୍ରହଣ କଲେ ନାହିଁ । ସୁତରାଂ ପାର୍ଲିଆମେଣ୍ଟରେ ସେମାନଙ୍କ ସ୍ଥାନ ଖାଲି ପଡ଼ି ରହିଲା । ଏ ଅଚଳ ଅବସ୍ଥାର ପ୍ରତିବିଧାନ କରିବା ପାଇଁ କସ୍‌ଗ୍ରେଭ ସରକାର ୧୯୨୭ ମସିହା ଜୁନ ମାସରେ ଆଇରିସ୍‌ ଡେଲ୍‌ ବା ପାର୍ଲିଆମେଣ୍ଟରେ ନୂତନ ଆଇନ ପାସ କରାଇଲେ । ତାହାଦ୍ୱାରା ଡେଲ୍‌କୁ ପ୍ରତିନିଧି ରୂପେ ପ୍ରାର୍ଥୀ ହେଉଥିବା ବ୍ୟକ୍ତିମାନଙ୍କୁ ଆଗରୁ ପ୍ରତିଶ୍ରୁତି ଦେବାକୁ ପଡ଼ୁଥିଲା ଯେ, ସେମାନେ ନିର୍ବାଚିତ ହୋଇ ସାରିବା ପରେ ପାର୍ଲିଆମେଣ୍ଟ ବୈଠକରେ ନିଶ୍ଚୟ ଯୋଗଦେବେ । ତଦନୁସାରେ ଡି. ଭେଲେରା ଓ ତାଙ୍କ ଦଳର ୪୩ ଜଣ ସଭ୍ୟ ସେ ଦିନଠାରୁ ପାର୍ଲିଆମେଣ୍ଟରେ ଯୋଗଦେଲେ । ସେହି ବର୍ଷ ଆଉ ଏକ ନୂତନ ନିର୍ବାଚନରେ ପାର୍ଲିଆମେଣ୍ଟରେ ଡି. ଭେଲେରାଙ୍କ ଫିଆନାଫେଲ୍‌ ଦଳର ସଂଖ୍ୟା ବଢ଼ି ୫୭ ହୋଇଥିଲା । ସଂଖ୍ୟାନ୍ୟୂନ ଦଳ ଥିବାରୁ ଡି. ଭେଲେରା ଶାସନ ଦାୟିତ୍ୱ ଗ୍ରହଣ ନ କରି ବିରୁଦ୍ଧ ଦଳ ହୋଇ ରହିଲେ । କ୍ରମେ ନିରବଚ୍ଛିନ୍ନ ପ୍ରଚାରଦ୍ୱାରା ଡି. ଭେଲେରା ନିଜ ଦଳର ପୂର୍ଣ୍ଣ ସ୍ୱାଧୀନତା ଲକ୍ଷ୍ୟ ଏବଂ ଉଭୟ ଆୟର୍‌ଲାଣ୍ଡକୁ ଏକତ୍ର କରିବା ଉଦ୍ଦେଶ୍ୟ ପ୍ରତି ଜନମତର ପୋଷକତା ଲାଭକଲେ । ଶେଷରେ ୧୯୩୨ ମସିହାରେ ଯେଉଁ ସାଧାରଣ ନିର୍ବାଚନ ହେଲା ସେଥିରେ ଆଇରିସ୍ ଡେଲ୍‌ର ୧୩୮ଟି ସ୍ଥାନ ମଧ୍ୟରୁ ଡି. ଭେଲେରାଙ୍କ ଫିଆନାଫେଲ୍‌ ଦଳ ୭୭ଟି ସ୍ଥାନ ଲାଭ କରିଥିଲେ । ନରମପନ୍ଥୀ କସ୍‌ଗ୍ରେଭ ସରକାର ଦଶବର୍ଷକାଳ ଶାସନ ଚଳାଇବା ପରେ ୧୯୩୨ ମସିହାରେ ଡି. ଭେଲେରା ଆୟର୍‌ଲାଣ୍ଡର ପ୍ରେସିଡେଣ୍ଟ ନିର୍ବାଚିତ ହେଲେ । ପ୍ରେସିଡେଣ୍ଟ ନିର୍ବାଚିତ ହେବାର କିଛି ସମୟ ପରେ ୧୯୩୩ ମସିହାରେ ଡି. ଭେଲେରା ତାଙ୍କ ନିଜ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ବିଷୟରେ ଦେଶର ଜନମତ ଗ୍ରହଣ କଲେ । ଏଥିରେ ସମଗ୍ର ଭୋଟର ସଂଖ୍ୟାର ଶତକରା ଚଉବନ ଡି. ଭେଲେରାଙ୍କ ପୂର୍ଣ୍ଣ ସ୍ୱାଧୀନତା ଲକ୍ଷ୍ୟକୁ ସମର୍ଥନ କଲେ ।

 

ସେହି ଦିନଠାରୁ ଦେଶର ଜନମତଦ୍ୱାରା ବଳୀୟାନ୍‌ ହୋଇ ଡି. ଭେଲେରା ୧୯୨୧ ମସିହାରେ ବ୍ରିଟିଶ ସରକାର ସହିତ ସନ୍ଧିଦ୍ୱାରା ସ୍ଥିର ହୋଇଥିବା ଫ୍ରିଷ୍ଟେଟ୍‌ ଶାସନଯୋଜନାର ଗୋଟିକ ପରେ ଗୋଟିଏ ପରିବର୍ତ୍ତନ କରାଇ ବ୍ରିଟିଶ୍‌ ବନ୍ଧନକୁ ଆସ୍ତେ ଆସ୍ତେ ଛିନ୍ନ କରୁଛନ୍ତି । ଆଇରିସ୍‌ ଡେଲ୍‌ରେ ବ୍ରିଟିଶ ରାଜାଙ୍କ ପ୍ରତି ସଭ୍ୟମାନଙ୍କର ରାଜଭକ୍ତିସୂଚକ ଶପଥ ଗ୍ରହଣ କରିବାର ଯେ ପ୍ରଥା ଥିଲା ତାହା ଉଠାଇ ଦିଆଯାଇଛି । ଫ୍ରିଷ୍ଟେଟ୍‌ ଶାସନ ଯୋଜନାନୁସାରେ ଆୟର୍‌ଲାଣ୍ଡ ଏକ ଉପନିବେଶ ସ୍ୱରୂପ ବ୍ରିଟିଶ୍‌ ସାମ୍ରାଜ୍ୟର ଅଙ୍ଗ ହୋଇ ରହିଥିଲା; ବ୍ରିଟିଶ ରାଜାଙ୍କଦ୍ୱାରା ନିଯୁକ୍ତ ଗଭର୍ଣ୍ଣର ଜେନେରାଲଙ୍କଠାରେ ଶାସନତନ୍ତ୍ରର ଅନେକଗୁଡ଼ିଏ କ୍ଷମତା ନ୍ୟସ୍ତ ଥିଲା । ଡି. ଭେଲେରା ନୂତନ ନୂତନ ଆଇନ ପ୍ରଣୟନ କରାଇ ଗଭର୍ଣ୍ଣର ଜେନେରାଲଙ୍କ କ୍ଷମତା ଆସ୍ତେ ଆସ୍ତେ ଖର୍ବ କରାଇଦେଲେ । ଆୟର୍‌ଲାଣ୍ଡର ପ୍ରଧାନ ବିଚାରାଳୟ ବା ସୁପ୍ରିମକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ବ୍ରିଟିଶ ପ୍ରିଭିକାଉନ୍‌ସିଲରେ ଅପିଲ କରିବାର ବ୍ୟବସ୍ଥା ଥିଲା; ଡି. ଭେଲେରା ସେ ବ୍ୟବସ୍ଥା ଉଠାଇ ଦେଇଛନ୍ତି । ଆଇରିସ୍‌ ସୁପ୍ରିମକୋର୍ଟର ବିଚାରହିଁ ଆୟର୍‌ଲାଣ୍ଡ ପକ୍ଷରେ ଶେଷ ନିଷ୍ପତ୍ତି ।

 

ଆଇରିସ୍‌ ରୟତମାନଙ୍କ ଭୂମିରେ ପୂର୍ଣ୍ଣ ସ୍ୱତ୍ୱ ପ୍ରତିଷ୍ଠା କରିବା ପାଇଁ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଂଲଣ୍ଡର ମାନ୍ଦାଦଳିଆ ପ୍ରଧାନମନ୍ତ୍ରୀ ଗ୍ଳାଡ୍‍ଷ୍ଟୋନ୍ ଯେଉଁ ବ୍ୟବସ୍ଥା ଖଞ୍ଜିଥିଲେ ତଦନୁସାରେ ଇଂରେଜ ଜମିଦାରମାନଙ୍କୁ କ୍ଷତିପୂରଣ ସ୍ୱରୂପ ବାର୍ଷିକ ପ୍ରାୟ ପଚାଶ ଲକ୍ଷ ପାଉଣ୍ଡ ଆୟର୍‌ଲାଣ୍ଡ ବ୍ରିଟେନକୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେବ ବୋଲି ବ୍ୟବସ୍ଥା ଥିଲା । ୧୯୨୨ ମସିହାରେ ଇଂଲଣ୍ଡ ଆୟର୍‍ଲାଣ୍ଡ ମଧ୍ୟରେ ଯେ ସନ୍ଧି ହୋଇଥିଲା ସେଥିରେ ଏ ପୂର୍ବ ବ୍ୟବସ୍ଥା କାଏମ ରାଖାଯାଇଥିଲା । ମାତ୍ର ୧୯୩୨ ମସିହାରେ ଡି. ଭେଲେରା ଆଇରିସ୍‌ ସରକାରର ନେତୃତ୍ୱ ଗ୍ରହଣ କରିବା ପରେ ବିଲାତର ଏ ପ୍ରାପ୍ୟ ବନ୍ଦ କରିଦେଲେ । ବ୍ରିଟିଶ ସରକାର ଏହାର ପ୍ରତିହିଂସା ସ୍ୱରୂପ ଆୟର୍‌ଲାଣ୍ଡରୁ ତାଙ୍କ ଦେଶକୁ ଆମଦାନୀ ହେଉଥିବା ଗାଈ, ଗୋରୁ, ଦୁଧ, ଲହୁଣି ଓ ଅଣ୍ଡା ପ୍ରଭୃତି ଖାଦ୍ୟଦ୍ରବ୍ୟ ଉପରେ ଉତ୍କଟ ହାରରେ ଏକ ଶୁଳ୍‌କ ବସାଇଥିଲେ । ଆଇରିସ୍‌ ସରକାର ମଧ୍ୟ ଇଂଲଣ୍ଡରୁ ଆମଦାନୀ ହେଉଥିବା ଜିନିଷ ଉପରେ ସେହିପରି ଉଚ୍ଚହାରରେ ଶୁଳ୍‌କ ବସାଇଲେ । ଏହା ଫଳରେ ଅନେକ ବର୍ଷ ଧରି ଉଭୟ ଦେଶ ମଧ୍ୟରେ ଏକ ତୁମୁଳ ଅର୍ଥନୈତିକ ସଂଗ୍ରାମ ଚାଲିଲା । ଡି. ଭେଲେରା ନିଜ ଦେଶକୁ ବିଲାତରୁ ଅଣାଯାଉଥିବା ଦ୍ରବ୍ୟମାନଙ୍କର ଆମଦାନୀ ବନ୍ଦ କରାଇଦେଲେ । ନିଜ ଦେଶରେ ସ୍ଥାନେ ସ୍ଥାନେ ଚିନିକଳମାନ ବସାଇଲେ; ଗହମ ଚାଷ କରାଇଲେ-। ଦେଶର ବାହାରକୁ ଗୋମହିଷାଦି ଚାଲାଣ ନ କରି ସେମାନଙ୍କ ମାଂସ ଓ ଚର୍ମ ପ୍ରଭୃତିରୁ ନାନା ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପ୍ରସ୍ତୁତ କରାଇବା ପାଇଁ କୁଟୀରଶିଳ୍ପ ଓ କାରଖାନାର ବ୍ୟବସ୍ଥା କରାଇଥିଲେ । ଆଇରିସ୍‌ ସରକାର ବହୁ ବ୍ୟୟ କରି ନିଜର ଆବଶ୍ୟକୋପଯୋଗୀ ସମସ୍ତ ଜିନିଷ ନିଜ ଦେଶରେ ଯଥେଷ୍ଟ ପରିମାଣରେ ଉତ୍ପନ୍ନ କରାଇବାର ଉଦ୍ୟମ କରୁଛନ୍ତି-

 

ଉଭୟ ଦେଶ ମଧ୍ୟରେ ଏ ବିବାଦ ଓ ବିରୋଧର ନିଷ୍ପତ୍ତି ପାଇଁ ଏକ ମଧ୍ୟସ୍ଥ ନିରପେକ୍ଷ ପଞ୍ଚାୟତ ନିର୍ବାଚନ କରିବା ପ୍ରସ୍ତାବ ହୋଇଥିଲା । ଉଭୟ ପକ୍ଷ ପ୍ରଥମେ ଏ ପ୍ରସ୍ତାବରେ ରାଜି ହୋଇଥିଲେ; ମାତ୍ର ବ୍ରିଟିଶ ସରକାର ଜିଦ୍‌ ଧଇଲେ ଯେ କେବଳ ବ୍ରିଟିଶ ସାମ୍ରାଜ୍ୟ ମଧ୍ୟରୁ ମଧ୍ୟସ୍ଥ ବାଛିବାକୁ ହେବ । ମାତ୍ର ଡି. ଭେଲେରା ବ୍ରିଟିଶ ଦୁରଭିସନ୍ଧିରେ ସନ୍ଦେହ କରି ସେଥିରେ ରାଜି ହେଲେ ନାହିଁ । ପୃଥିବୀ ପଞ୍ଚାୟତର ମଧ୍ୟସ୍ଥତାରେ ଏ ସମସ୍ୟାର ନିଷ୍ପତ୍ତି ହେବା ପାଇଁ ସେ ପ୍ରସ୍ତୁତ ଥିଲେ; କିନ୍ତୁ ଅନ୍ୟ ପକ୍ଷ ସେଥିକୁ ସ୍ୱୀକୃତି ନ ଦେବାରୁ ବହୁବର୍ଷ ଧରି ଉଭୟ ଦେଶ ମଧ୍ୟରେ ଅର୍ଥନୀତିକ ସଂଗ୍ରାମ ଚାଲିଥିଲା ।

 

ଏବେ ୧୯୩୮ ମସିହାରେ ଏ ଅର୍ଥନୀତିକ ସଂଗ୍ରାମର ଏକ ସନ୍ତୋଷଜନକ ସମାଧାନ ହୋଇଯାଇଛି । ଉଭୟ ଦେଶ ମଧ୍ୟରେ କେତେଗୁଡ଼ିଏ ବାଣିଜ୍ୟ ଚୁକ୍ତି କରା ହୋଇଛି । ଆୟର୍‌ଲାଣ୍ଡ ତାର ପୂର୍ବ ନିର୍ଦ୍ଧାରିତ ବାର୍ଷିକ ଦେୟର ଅର୍ଦ୍ଧେକ ପରିମାଣ ଦେବାକୁ ରାଜି ହୋଇଛି ଏବଂ ଅନ୍ୟ ଅର୍ଦ୍ଧେକ ଦେୟ ବ୍ରିଟିଶ ସରକାର ଦେବାକୁ ବାଧ୍ୟ ହୋଇଛି । ୧୯୨୨ ମସିହା ସନ୍ଧି ଅନୁସାରେ ଆୟର୍‌ଲାଣ୍ଡରେ କେତେଗୁଡ଼ିଏ ନୌସେନା ବସତି ରଖିବାର ଅଧିକାର ଇଂଲଣ୍ଡର ଥିଲା । ବ୍ରିଟିଶ ସରକାର ସେ ଅଧିକାର ମଧ୍ୟ ଛାଡ଼ିଦେବାକୁ ବାଧ୍ୟ ହୋଇଛନ୍ତି ।

 

୧୯୩୨ ମସିହାରେ ଆଇରିସ୍ ସରକାରର ନେତୃତ୍ୱ ଗ୍ରହଣ କରିବା ପରେ ଡି. ଭେଲେରାଙ୍କ ଯୋଗ୍ୟତା ଓ ନିରପେକ୍ଷତା ଯୋଗୁଁ ସେ ପରବର୍ତ୍ତୀ ବର୍ଷ ପୃଥିବୀ ପଞ୍ଚାୟତର ସ୍ଥାୟୀ କାଉନ୍‌ସିଲର ପ୍ରେସିଡେଣ୍ଟ ନିର୍ବାଚିତ ହୋଇଥିଲେ । ଯାହାଙ୍କୁ ବିଦ୍ରୋହୀ ଏବଂ ବିପ୍ଳବୀ ସର୍ଦ୍ଦାର ବୋଲି ବ୍ରିଟିଶ ସରକାର ଏପର୍ଯ୍ୟନ୍ତ ପୃଥିବୀରେ ଡିଣ୍ଡିମ ପିଟି ଆସୁଥିଲେ, ଶେଷରେ ସେହିହିଁ ସମଗ୍ର ପୃଥିବୀର ଶାନ୍ତି ସଂସ୍ଥାପନ ଅନୁଷ୍ଠାନର ପ୍ରଧାନ ପୁରୋଧା ରୂପେ ପୃଥିବୀର ସବୁ ବିଶିଷ୍ଟ ଶକ୍ତିଙ୍କଦ୍ୱାରା ଗୃହୀତ ହେଲେ । ପ୍ରେସିଡେଣ୍ଟ ହେବାପରେ ପୃଥିବୀ ପଞ୍ଚାୟତର ଗଠନପ୍ରଣାଳୀ ଏବଂ ସବୁ ଶକ୍ତିଙ୍କ ମଧ୍ୟରେ ଶାନ୍ତିରକ୍ଷା କରିବା ପାଇଁ ସେ ସଂସ୍ଥାର ଦୋଷ ତ୍ରୁଟି ବିଷୟରେ ଡି. ଭେଲେରା ତୀବ୍ର ସମାଲୋଚନା କରି ସବୁ ତ୍ରୁଟି ଏବଂ ଅଭାବର ସଂସ୍କାର ପାଇଁ ପୃଥିବୀ ପଞ୍ଚାୟତ ସମକ୍ଷରେ କେତେଗୁଡ଼ିଏ ଗଠନମୂଳକ ପ୍ରସ୍ତାବ ଉପସ୍ଥାପିତ କରିଥିଲେ । ସମଗ୍ର ପୃଥିବୀର ଅର୍ଥନୀତିସଙ୍କଟ ସମ୍ପର୍କରେ ସେ ପୃଥିବୀ ପଞ୍ଚାୟତରେ ଯେଉଁ ସତର୍କବାଣୀ ଶୁଣାଇଥିଲେ ଏବଂ ୧୯୩୫ ମସିହାରେ ଇଟାଲୀର ଆବିସିନିଆ ଆକ୍ରମଣ ସମ୍ପର୍କରେ ଯେଉଁ ନିର୍ଭୀକ ନିରପେକ୍ଷ ମତ ବ୍ୟକ୍ତ କରିଥିଲେ, ତାହା ପୃଥିବୀର ସବୁ ଦେଶରେ ଆଦୃତ ଓ ପ୍ରଶଂସିତ ହୋଇଥିଲା ।

 

୧୯୨୭ ମସିହାରେ ଗୁରୁତର ଚକ୍ଷୁରୋଗରେ ପୀଡ଼ିତ ହୋଇ ଡି. ଭେଲେରାଙ୍କୁ କିଛିକାଳ ରାଜନୀତିକ ଶାସନ କାର୍ଯ୍ୟରୁ ଅବ୍ୟାହତି ଗ୍ରହଣ କରିବାକୁ ପଡ଼ିଥିଲା । ସେ ଦୁଇଥର ସୁଇଜରଲାଣ୍ଡର ଜୁରିଚ ସହରକୁ ଯାଇ ସେଠାରେ ବିଶିଷ୍ଟ ଚକ୍ଷୁରୋଗ ବିଶାରଦ ଅଧ୍ୟାପକ ଭୋରାଟଙ୍କଦ୍ୱାରା ଗୋଟିକ ପରେ ଗୋଟିଏ ଦୁଇଟିଯାକ ଚକ୍ଷୁ ଅସ୍ତ୍ରଚିକିତ୍ସା କରାଇଥିଲେ ।

 

ଡି. ଭେଲେରା ଆୟର୍‌ଲାଣ୍ଡ ଶାସନରେ ନେତୃତ୍ୱ ଗ୍ରହଣ କରି କ୍ରମେ ନୂତନ ନୂତନ ଆଇନ ପ୍ରଣୟନଦ୍ୱାରା ଦେଶର ପୂର୍ଣ୍ଣ ସ୍ୱାଧୀନତା ଲାଭ କରିବାର ନୀତି ଅବଲମ୍ବନ କଲେ । ଏହା ଉତ୍ତାରୁ ତାଙ୍କ ପରିଚାଳିତ ଆଇରିସ୍‌ ରିପବ୍ଳିକାନ ଆର୍ମି ଦଳର କତିପୟ ଉଗ୍ରପନ୍ଥୀ ଯୁବକ ତାଙ୍କଠାରୁ ବିଚ୍ଛିନ୍ନ ହୋଇ ପୂର୍ବପରି ବିଦ୍ରୋହ ଓ ବିପ୍ଳବର ପନ୍ଥା ଗ୍ରହଣ କଲେ । ସେମାନେ ଗୁପ୍ତ ଭାବରେ ଆଇରିସ୍ ରିପବ୍ଳିକାନ୍ ଆର୍ମି ଅନୁଷ୍ଠାନ ଚଳାଇ ବେଳେବେଳେ ଆତଙ୍କବାଦ ମାର୍ଗ ଧରି ଅଶାନ୍ତି ସୃଷ୍ଟି କଲେ । ସୁତରାଂ ଡି. ଭେଲେରା ବାଧ୍ୟ ହୋଇ ଏ ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରି ତାହା ପ୍ରତି କଠୋର ଦମନନୀତି ପ୍ରୟୋଗ କଲେ । ଫଳରେ ଆୟର୍‌ଲାଣ୍ଡରେ ସେ ଅନୁଷ୍ଠାନର ବର୍ତ୍ତମାନ କୌଣସି ପ୍ରଭାବ ପ୍ରତିପତ୍ତି ନାହିଁ । ଏମାନେ ବେଳେବେଳେ ଇଂଲଣ୍ଡର ଲଣ୍ଡନ ଓ ଅନ୍ୟାନ୍ୟ ସହରରେ ବୋମା ଆଦି ପକାଇ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି । ମାତ୍ର ଆୟର୍‌ଲାଣ୍ଡର ଜନସାଧାରଣଙ୍କର ସେମାନଙ୍କ କାର୍ଯ୍ୟକଳାପ ପ୍ରତି କୌଣସି ପ୍ରକାର ସମର୍ଥନ ବା ସହାନୁଭୂତି ନାହିଁ । ୧୯୩୩ ମସିହାରେ କେତେଜଣ ଫାସିଷ୍ଟବାଦୀ ଆୟର୍‌ଲାଣ୍ଡରେ ଫାସିଷ୍ଟ ବା ‘ବ୍ଳୁସାଟ୍‌’ ଆନ୍ଦୋଳନର ସୂତ୍ରପାତ କରାଇଥିଲେ; ମାତ୍ର ଗଣତନ୍ତ୍ର ନୀତିରେ ଅଟଳବିଶ୍ୱାସୀ ଡି. ଭେଲେରା ବିଶେଷ ଦୃଢ଼ତାର ସହିତ ନିଜ ଦେଶରୁ ଏ ଗଣତନ୍ତ୍ରବିରୋଧୀ ଆନ୍ଦୋଳନକୁ ମୂଳପୋଛ କରିଦେଇଥିଲେ ।

 

୧୯୩୭ ମସିହାରେ ଡି. ଭେଲେରା ଆୟର୍‌ଲାଣ୍ଡ ପାଇଁ ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ଏବଂ ସ୍ୱାଧୀନତାର ବ୍ୟବସ୍ଥା କରି ଗୋଟିଏ ନୂତନ ଶାସନ ଯୋଜନା ପ୍ରକାଶ କଲେ । ସେ ବର୍ଷ ଜୁଲାଇ ମାସ ପହିଲା ଦିନ ଦେଶର ସମସ୍ତ ସାବାଳକ ବ୍ୟକ୍ତିଙ୍କଠାରୁ ଏ ଶାସନଯୋଜନା ବିଷୟରେ ଭୋଟଦ୍ୱାରା ମତ ସଂଗ୍ରହ କରାଗଲା । ବହୁ ମତରେ ଏ ଶାସନଯୋଜନା ସମର୍ଥିତ ହେବାପରେ ୧୯୩୭ ଡିସେମ୍ବର ୨୯ ତାରିଖଠାରୁ ତାହା ପ୍ରବର୍ତ୍ତିତ ହୋଇଅଛି । ଏହାଦ୍ୱାରା ଦେଶର ନୂତନ ନାମକରଣ କରାଯାଇ ଆୟର୍‌ଲାଣ୍ଡ ପରିବର୍ତ୍ତରେ ତାର ନାମ ଆୟାର ହୋଇଛି । ଆଇରିସ୍‌ ଏବଂ ଇଂରେଜୀ ଭାଷାକୁ ସରକାରୀ ଭାଷାରୂପେ ଗ୍ରହଣ କରାଯାଇଛି; ମାତ୍ର ଦେଶର ପ୍ରକୃତ ମାତୃଭାଷା ଆଇରିସ୍‍କୁ ସର୍ବଦା ଅଧିକ ଉତ୍ସାହିତ କରିବା ବ୍ୟବସ୍ଥା ହୋଇଛି । ୧୯୨୧ମସିହାରେ ଅୟର୍‌ଲାଣ୍ଡରେ ଗେଲିକ୍‌ ଭାଷା ଜାଣିଥିବା ଲୋକଙ୍କ ସଂଖ୍ୟା ଶତକଡ଼ା ୧୫ ମାତ୍ର ଥିଲା । କିନ୍ତୁ ଆଜିକାଲି ଆୟର୍‌ଲାଣ୍ଡର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଗେଲିକ୍‌ଭାଷା ଶିକ୍ଷା ଦେବା ବାଧ୍ୟତାମୂଳକ ହୋଇଅଛି । ଉଚ୍ଚଶିକ୍ଷା ମଧ୍ୟ ଏହି ମାତୃଭାଷା ସାହାଯ୍ୟରେ ଦିଆଯାଉଅଛି । ଫଳରେ ଏହି ସାମାନ୍ୟ କେତେବର୍ଷ ମଧ୍ୟରେ ଗେଲିକଭାଷାଭିଜ୍ଞ ଲୋକଙ୍କ ସଂଖ୍ୟା ଶତକଡ଼ା ୮୫କୁ ବୃଦ୍ଧି ପାଇଅଛି । ଅଲ୍‌ଷ୍ଟର ସମେତ ସମଗ୍ର ଆୟର୍‌ଲାଣ୍ଡକୁ ଏକ ଅଖଣ୍ଡ ରାଷ୍ଟ୍ରରୂପେ ଧରାଯାଇଛି । ମାତ୍ର ଯେ ପର୍ଯ୍ୟନ୍ତ ଅଲ୍‌ଷ୍ଟରର ଛଅଟି ବିଭାଗର ଅଧିବାସୀମାନେ ଏକ ଶାସନାଧୀନରେ ରହିବା ପାଇଁ ସ୍ୱତଃପ୍ରବୃତ୍ତ ହୋଇ ସ୍ୱୀକୃତି ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ଆଇରିସ୍ ପାର୍ଲିଆମେଣ୍ଟରେ ଗୃହୀତ ହେବା ଆଇନମାନ କେବଳ ଦକ୍ଷିଣ ଆୟର୍‌ଲାଣ୍ଡର ଫ୍ରିଷ୍ଟେଟ୍‌ ପ୍ରତି ପ୍ରଯୋଜ୍ୟ ହେବ । ଏ ଶାସନଯୋଜନାରେ ମୂଳରୁ ଘୋଷଣା କରାଯାଇଛି ଯେ କି ପ୍ରକାର ଶାସନପଦ୍ଧତି ଅନୁସାରେ ଦେଶ ଶାସିତହେବ ତାହା ସ୍ଥିର କରିବା ଏବଂ ଆବଶ୍ୟକମତେ ତହିଁରେ ପରିବର୍ତ୍ତନ କରିବାର ଅଧିକାର କେବଳ ଆଇରିସ୍‌ମାନଙ୍କରହିଁ ରହିବ । ଅନ୍ୟ କୌଣସି ଦେଶ ବା ଜାତି ଏ ଅଧିକାରରେ ତିଳେ ହେଲେ ହସ୍ତକ୍ଷେପ କରିପାରିବେ ନାହିଁ । ଆୟର୍‌ଲାଣ୍ଡକୁ ଏକ ସ୍ୱାଧୀନ କ୍ୟାଥ୍‌ଲିକ ଅଖଣ୍ଡିତ କ୍ଷମତାସମ୍ପନ୍ନ ଗଣତନ୍ତ୍ର ରାଷ୍ଟ୍ର ଘୋଷଣା କରାଯାଇଛି । ବ୍ରିଟିଶ ସାମ୍ରାଜ୍ୟର ଅନ୍ୟାନ୍ୟ ଉପନିବେଶ ପରି ଆୟର୍‌ଲାଣ୍ଡର ତ୍ରିରଙ୍ଗ ଜାତୀୟ ପତାକାରେ ଇଉନିୟନ ଜ୍ୟାକର ଚିହ୍ନବର୍ଣ୍ଣ ସୁଦ୍ଧା ରଖାଯାଇ ନାହିଁ । ଶାସନ ପଦ୍ଧତିରେ ରାଜାଙ୍କର ନାମ ଗନ୍ଧ ନାହିଁ । ଗଭର୍ଣ୍ଣର ଜେନେରାଲ ପଦ ଏକାବେଳକେ ଉଠାଇ ଦିଆଯାଇଛି ଏବଂ ପ୍ରେସିଡେଣ୍ଟଙ୍କୁ ଗଣତନ୍ତ୍ର ରାଷ୍ଟ୍ରର ମୁଖ୍ୟ କର୍ତ୍ତାରୂପେ ଗ୍ରହଣ କରାଯାଇଛି । ପ୍ରେସିଡେଣ୍ଟ ସାତବର୍ଷରେ ଥରେ ସାଧାରଣ ଭୋଟରେ ନିର୍ବାଚିତ ହେବେ । ମନ୍ତ୍ରିମଣ୍ଡଳ ନିଯୁକ୍ତି ଓ ବରଖାସ୍ତ କରିବା ଏବଂ ପାର୍ଲିଆମେଣ୍ଟକୁ ଭାଙ୍ଗିଦେଇ ନୂତନ ନିର୍ବାଚନ ଆହ୍ୱାନ କରିବାର ଅଧିକାର ପ୍ରେସିଡେଣ୍ଟଙ୍କଠାରେ ନ୍ୟସ୍ତ କରାଯାଇଛି-। ମୋଟ ଉପରେ ଇଂଲଣ୍ଡର ଶାସନସଂସ୍ଥାରେ ରାଜାଙ୍କର ଯାହା ଯାହା ଅଧିକାର ଅଛି ଆଇରିସ୍‌ ଗଣତନ୍ତ୍ରରେ ପ୍ରେସିଡେଣ୍ଟଙ୍କଠାରେ ସେ ସମସ୍ତ କ୍ଷମତା ଅର୍ପଣ କରାଯାଇଅଛି । କେବଳ ଆଉ ଗୋଟିଏ ସ୍ୱତନ୍ତ୍ର ପରିପୂରକ ଆଇନଦ୍ୱାରା ବ୍ୟବସ୍ଥା କରାଯାଇଛି ଯେ, ଆୟର୍‌ଲାଣ୍ଡ ସହିତ ଅନ୍ୟ କୌଣସି ବହିଃଶକ୍ତିର ସମ୍ପର୍କ ବିଷୟରେ ବ୍ରିଟିଶ ସାମ୍ରାଜ୍ୟର ରାଜା ଆୟର୍‌ଲାଣ୍ଡର ମନ୍ତ୍ରୀମାନଙ୍କ ପରାମର୍ଶରେ ସମ୍ପୂର୍ଣ୍ଣରୂପେ ପରିଚାଳିତ ହୋଇ ସନ୍ଧିବିଗ୍ରହ ଆଦିର ବ୍ୟବସ୍ଥା କରିବେ-। ମାତ୍ର ଭବିଷ୍ୟତରେ ଆବଶ୍ୟକ ମନେକଲେ ଏ ବ୍ୟବସ୍ଥାର ଅନ୍ୟଥା କରିବାର ଅଧିକାର ମଧ୍ୟ ଆଇରିସ୍‌ ସରକାର ହାତରେ ରହିଛି । ମୋଟ ଉପରେ ଆୟର୍‌ଲାଣ୍ଡ ନିଜକୁ ବ୍ରିଟିଶ୍‌ ସାମ୍ରାଜ୍ୟର ଅଙ୍ଗ ବୋଲି ଅତି କ୍ଷୀଣ ଭାବରେ ସ୍ୱୀକାର କରିଥିଲେ ମଧ୍ୟ ନିଜର ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ଏବଂ ସ୍ୱାଧୀନ ପ୍ରତିଷ୍ଠା କରିଅଛି । ବର୍ତ୍ତମାନର ଏ ମହାଯୁଦ୍ଧରେ ବ୍ରିଟିଶ ସାମ୍ରାଜ୍ୟର ସବୁ ଉପନିବେଶ ଇଂରେଜମାନଙ୍କ ସପକ୍ଷରେ ଯୋଗ ଦେଇଛନ୍ତି; ମାତ୍ର ଡି. ଭେଲେରାଙ୍କ ନେତୃତ୍ୱରେ ଆୟର୍‌ଲାଣ୍ଡ ତାହାର ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ବଜାଏ ରଖି ଯୁଦ୍ଧରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ରହି ଆସିଛି ଏବଂ ଯେ କୌଣସି ପକ୍ଷରୁ ଆକ୍ରାନ୍ତ ହେଲେ ନିଜର ସ୍ୱାଧୀନତା ରକ୍ଷା କରିବା ପାଇଁ ସର୍ବଥା ପ୍ରସ୍ତୁତ ରହିଅଛି ।

 

ସମଗ୍ର ଆୟର୍‌ଲାଣ୍ଡକୁ ଏକ ଅବିଭକ୍ତ ସ୍ୱାଧୀନ ଗଣତନ୍ତ୍ରରେ ପରିଣତ କରିବା ଡି. ଭେଲେରାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ହୋଇ ଆସିଛି । ସେ ଅଲ୍‌ଷ୍ଟରର ଛଅଟି ବିଭାଗ ଛଡ଼ା ଆୟର୍‌ଲାଣ୍ଡରେ ପୂର୍ଣ୍ଣ ସ୍ୱାଧୀନତା ଏବଂ ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛନ୍ତି । ମାତ୍ର ସମଗ୍ର ଆୟର୍‌ଲାଣ୍ଡକୁ ଏକ ଅବିଭକ୍ତ ଗଣତନ୍ତ୍ର ଶାସନାଧୀନ କରିବା ଏପର୍ଯ୍ୟନ୍ତ ସମ୍ଭବପର ହୋଇନାହିଁ । ବ୍ରିଟେନର ସ୍ୱାର୍ଥାନ୍ୱେଷୀ ସାମ୍ରାଜ୍ୟବାଦୀ ପୁଞ୍ଜିପତିମାନେ ତାହା କରାଇ ଦେଇ ନାହାନ୍ତି । ଯେ ପର୍ଯ୍ୟନ୍ତ ଅଲ୍‌ଷ୍ଟର ପାର୍ଲଆମେଣ୍ଟରେ ପୁଞ୍ଜିପତି ଧନିକ ଶ୍ରେଣୀର ପ୍ରଭାବ ଅକ୍ଷୁଣ୍ଣ ରହିଥିବ, ସେ ପର୍ଯ୍ୟନ୍ତ ସମଗ୍ର ଆୟର୍‌ଲାଣ୍ଡର ଏକତ୍ରୀକରଣ ଅସମ୍ଭବ ହେବ । ଅଲ୍‌ଷ୍ଟର ଶାସନରେ ସାଧାରଣ ଶ୍ରମିକଶ୍ରେଣୀର ପ୍ରଭାବ ପ୍ରତିଷ୍ଠିତ ହେଲେ ଏ ମିଳନ ସମ୍ଭବପର ହୋଇପାରେ । ମାତ୍ର ନିକଟ ଭବିଷ୍ୟତରେ ଡି. ଭେଲେରାଙ୍କ ଜୀବଦ୍ଦଶାରେ ସେପରି ଅନୁକୂଳ ପରିସ୍ଥିତି ସଂଘଟିତ ହେବାର କୌଣସି ଆଶା ଦେଖାଯାଉ ନାହିଁ ।

 

ପ୍ରତିବେଶୀ ଇଂଲଣ୍ଡ ସହିତ ସ୍ନେହ ସଦ୍ଭାବ ରକ୍ଷା କରି ବ୍ରିଟିଶ ଜାତିସଂଘର ଗୋଟିଏ ମୁଖ୍ୟ ଏବଂ ପୂର୍ଣ୍ଣ ସମାନ କ୍ଷମତାପନ୍ନ ସଭ୍ୟ ହୋଇ ଆୟର୍‌ଲାଣ୍ଡ ରହିବ, ଏହାହିଁ ଡି. ଭେଲେରାଙ୍କ ଉଦ୍ଦେଶ୍ୟ । ସେ ବେଶ୍‌ ଉପଲବ୍‌ଧି କରୁଛନ୍ତି ଯେ ପୃଥିବୀର ବର୍ତ୍ତମାନ ଅବସ୍ଥାରେ ପ୍ରତ୍ୟେକ ଦେଶକୁ ଅନ୍ୟ କେତେକ ଦେଶମାନଙ୍କ ସହିତ ସଂଘବଦ୍ଧ ହୋଇ ରହିବାକୁ ପଡ଼ିବ; ନ ହେଲେ ପରସ୍ପର ପ୍ରତିଦ୍ୱନ୍ଦିତା ଏବଂ ସଂଘର୍ଷରେ କୌଣସି ଗୋଟିଏ ଦେଶ ଏକସିଙ୍ଘା ହୋଇ ତିଷ୍ଠିପାରିବ ନାହିଁ । ସେଥିପାଇଁ ନିଜ ଦେଶର ସ୍ୱାର୍ଥ, ସ୍ୱାତନ୍ତ୍ର୍ୟ ଏବଂ ଗୌରବକୁ ଅକ୍ଷୁର୍ଣ୍ଣ ରଖି ବ୍ରିଟିଶ ଜାତିସଂଘ ଭିତରେ ରହିବାପାଇଁ ସେ ଚାହାନ୍ତି । ସେହି ହେତୁରୁ ନିଜ ଦେଶରେ ପୂର୍ଣ୍ଣ ସ୍ୱାଧୀନ ଗଣତନ୍ତ୍ର ପ୍ରତିଷ୍ଠା କରିବା ପରେ ପୂର୍ବ ବୈରଭାବ ଭୁଲି ଇଂଲଣ୍ଡ ସହିତ ସୌହାର୍ଦ୍ଦ୍ୟ ସ୍ଥାପନ କରିବାପାଇଁ ସେ ସବୁବେଳେ ଉଦ୍ୟମ କରି ଆସିଛନ୍ତି । ଇଂଲଣ୍ଡର ରାଜା ପଞ୍ଚମ ଜର୍ଜଙ୍କ ମୃତ୍ୟୁବେଳେ ଡି. ଭେଲେରା ଆଇରିସ୍‌ ଡେଲ୍‌ର ପ୍ରେସିଡେଣ୍ଟ ରୂପେ ଯେଉଁ ସହାନୁଭୂତି ସୂଚକ ସନ୍ଦେଶ ପଠାଇଥିଲେ, ସେଥିରେ ଉଭୟ ଦେଶ ମଧ୍ୟରେ ଏହି ସୌହାର୍ଦ୍ଦ୍ୟ ପ୍ରତି ବିଶେଷ ଭାବରେ ଇଂଲଣ୍ଡର ଦୃଷ୍ଟି ଆକର୍ଷଣ କରିଥିଲେ । ଇଂଲଣ୍ଡ ଓ ଆୟର୍‌ଲାଣ୍ଡ ମଧ୍ୟରେ କେତେବର୍ଷ ଯାଏ ଅର୍ଥନୀତିକ ସଂଗ୍ରାମ ଚାଲିବା ପରେ ୧୯୩୮ ମସିହାରେ ସମାଧାନ ଆଲୋଚନାରେ ଯୋଗ ଦେବାପାଇଁ ଡି. ଭେଲେରା ଯେତେବେଳେ ଲଣ୍ଡନକୁ ଆସିଥିଲେ, ସେତେବେଳେ ଇଂଲଣ୍ଡବାସୀ ତାଙ୍କୁ ସାତିଶୟ ଆଦର ଗୌରବରେ ଅଭିନନ୍ଦିତ କରିଥିଲେ । ଏହିପରି କେତେକ ଘଟଣାରୁ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ବନ୍ଧୁତା ଓ ସଦ୍‌ଭାବ କ୍ରମେ ଘନୀଭୂତ ହେଉଅଛି ।

 

ଗଣତନ୍ତ୍ର ନୀତିରେ ଡି. ଭେଲେରାଙ୍କର ବିଶ୍ୱାସ ଅତି ଦୃଢ଼ । ସୁତରାଂ ଦେଶର ସାଧାରଣ ଜନମତ ପ୍ରତି ସେ ଯେପରି ଖାତିର୍‌ ଓ ସମ୍ମାନ ଦେଖାନ୍ତି, ତାହା ହିଟଲର ବା ମୁସୋଲିନୀଙ୍କଠାରେ ପରିଲକ୍ଷିତ ହୁଏ ନାହିଁ । ସେମାନେ ପରୋକ୍ଷ ପ୍ରଚାର ଏବଂ ନାନା କୌଶଳପୂର୍ଣ୍ଣ ନିରୋଧଦ୍ୱାରା ନିଜ ଦେଶର ସାଧାରଣ ଜନମତକୁ ନିଜ ଦଳର ମତ ଅନୁରୂପ କରି ଗଢ଼ିବାକୁ ସର୍ବଦା ବ୍ୟାକୁଳ । ମାତ୍ର ଡି. ଭେଲେରା ସବୁବେଳେ ନିଜର ଓ ନିଜ ଦଳର କାର୍ଯ୍ୟକଳାପକୁ ଦେଶର ସାଧାରଣ ଜନମତ ଅନୁଯାୟୀ ନିୟନ୍ତ୍ରିତ କରି ଆସିଛନ୍ତି । ୧୯୨୨ ମସିହାରେ ବ୍ରିଟେନ୍‌ ସହିତ ଆଇରିସ୍‌ ପ୍ରତିନିଧିଙ୍କ ସନ୍ଧି ପରେ ଯେତେବେଳେ ସେ ବୁଝିଲେ ଯେ ଆୟର୍‌ଲାଣ୍ଡର ସାଧାରଣ ଜନମତ ଏ ସନ୍ଧିର ପକ୍ଷପାତୀ, ସେତେବେଳେ ସେ ନୀରବ ରହି ସନ୍ଧି ସମର୍ଥନକାରୀ କଲିନ୍‌ସ ଗ୍ରିଫ୍‌ଥସ୍‌ ପ୍ରଭୃତିଙ୍କୁ ଆୟର୍‌ଲାଣ୍ଡର ଶାସନ ପରିଚାଳନା ପାଇଁ ଛାଡ଼ିଦେଇ ଶାସନଯନ୍ତ୍ରରୁ ଅଲଗା ହୋଇଗଲେ । ପରେ ନିଜ ମତ ପ୍ରଚାରଦ୍ୱାରା ସେ ଯେତେବେଳେ ଜନମତକୁ ନିଜର ପକ୍ଷପାତୀ କରି ପାରିଲେ ସେତିକିବେଳେ ଯାଇ ସେ ଶାସନସଂସ୍ଥାରେ ଦେଶର ନେତୃତ୍ୱ ଗ୍ରହଣ କଲେ ।

 

ଡି. ଭେଲେରା ଏକାଧିକ ବାର ସ୍ପଷ୍ଟ କହିଛନ୍ତି ଯେ ଗଣତନ୍ତ୍ରର ସମ୍ମାନ ରକ୍ଷା ପାଇଁ ଆବଶ୍ୟକ ହେଲେ ପ୍ରାଣବଳି ଦେବାକୁ ସେ ସର୍ବଦା ପ୍ରସ୍ତୁତ ।

 

ଡି. ଭେଲେରା ନିଜ ଦେଶର ଜନସାଧାରଣଙ୍କ ଶ୍ରଦ୍ଧା ଓ ଭକ୍ତି ଯେପରି ଅର୍ଜନ କରିପାରିଛନ୍ତି, ତାହା ବୋଧହୁଏ କେବଳ ମହାତ୍ମା ଗାନ୍ଧିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶର କୌଣସି ନେତାଙ୍କ ଭାଗ୍ୟରେ ଘଟିନାହିଁ । ସମସ୍ତ ଆୟର୍‌ଲାଣ୍ଡବାସୀ ଡି. ଭେଲେରାଙ୍କୁ ଶ୍ରଦ୍ଧା ଓ ଭକ୍ତିର ଚିହ୍ନ ସ୍ୱରୂପ ‘ଡେଭ୍’ ଏହି ଶ୍ରଦ୍ଧା ନାମରେ ଭୂଷିତ କରିଛନ୍ତି । ଅବଶ୍ୟ ତାଙ୍କ ନିଜ ସହଧର୍ମିଣୀଙ୍କ ଛଡ଼ା ଅନ୍ୟ କେହି ତାଙ୍କ ମୁହଁ ଉପରେ ତାଙ୍କୁ ଏହି ନାମରେ ଆହ୍ୱାନ କରନ୍ତି ନାହିଁ; ମାତ୍ର ପରସ୍ପର ମଧ୍ୟରେ କଥୋପକଥନରେ ସମସ୍ତେ ଡି. ଭେଲେରାଙ୍କୁ ‘ଡେଭ୍’ ବୋଲି ଶ୍ରଦ୍ଧାର ସହିତ କହିଥାନ୍ତି । ଡି. ଭେଲେରାଙ୍କ ସହକର୍ମୀ, ଶିଷ୍ୟ ଏବଂ ସହଚରମାନେ ତାଙ୍କୁ ସବୁବେଳେ ଦେବତା ପରି ଭକ୍ତି ଓ ବିଶ୍ୱାସ କରନ୍ତି ।

 

ଧନସମ୍ପଦ ବା ବିଳାସବ୍ୟସନ ପ୍ରତି ଡି. ଭେଲେରାଙ୍କର ଲେଶମାତ୍ର ମୋହ ନାହିଁ । ବାଲ୍ୟକାଳରୁ ଦାରିଦ୍ର୍ୟ ଏବଂ ଅଭାବ ମଧ୍ୟରେ ସେ ଅତି ସଂଯତ ଓ ସରଳ ଭାବରେ ବଢ଼ି ଆସିଛନ୍ତି-। ଆୟର୍‌ଲାଣ୍ଡର ପ୍ରେସିଡେଣ୍ଟ ହେଲା ପରେ ମଧ୍ୟ ଏ ସରଳ ନିରାଡ଼ମ୍ବର ଜୀବନରେ କୌଣସି ପରିବର୍ତ୍ତନ ଘଟି ନାହିଁ । ଆଇରିସ୍‌ ପ୍ରେସିଡେଣ୍ଟଙ୍କ ବେତନ ପୂର୍ବରୁ ବାର୍ଷିକ ପଚିଶ ଶହ ପାଉଣ୍ଡ ନିର୍ଦ୍ଦିଷ୍ଟ ଥିଲା; ମାତ୍ର ଡି. ଭେଲେରା ପ୍ରେସିଡେଣ୍ଟ ହେବା ସଙ୍ଗେ ସଙ୍ଗେ ତାହା କମାଇ ପନ୍ଦରଶହ ପାଉଣ୍ଡ କରିଦେଲେ । ଡି. ଭେଲେରାଙ୍କର ଅନ୍ୟ କୌଣସି ବ୍ୟକ୍ତିଗତ ଆୟର ପନ୍ଥା ନାହିଁ ବା ବିଳାସବ୍ୟସନରେ ଅର୍ଥ ଅପବ୍ୟୟ କରିବାର ପ୍ରବୃତ୍ତି ତାଙ୍କର ନାହିଁ । ତାଙ୍କର ଧର୍ମରେ ଓ ଈଶ୍ୱରଙ୍କଠାରେ ବିଶ୍ୱାସ ଅତି ବଦ୍ଧମୂଳ । ସେ କ୍ୟାଥଲିକ୍‌ ଧର୍ମାବଲମ୍ବୀ । ଅନ୍ୟ କୌଣସି ସାଧାରଣ କାର୍ଯ୍ୟ ପ୍ରତ୍ୟବାୟ ନ ହେଲେ ପ୍ରତି ସପ୍ତାହରେ ସକୁଟୁମ୍ବେ ଗିର୍ଜାକୁ ଯାଇ ସାଧାରଣ ଉପାସନାରେ ଯୋଗ ଦେବା ତାଙ୍କର ସର୍ବଦା ଅଭ୍ୟାସ । ଡି. ଭେଲେରା ନିଜେ କ୍ୟାଥ୍‌ଲିକ ହେଲେ ମଧ୍ୟ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀମାନଙ୍କ ପ୍ରତି ତାଙ୍କର କୌଣସି ଅଶ୍ରଦ୍ଧା ବା ବିତୃଷ୍ଣା ନ ଥାଏ-। ବସ୍ତୁତଃ ତାଙ୍କର ବହୁସଂଖ୍ୟକ ଅନ୍ତରଙ୍ଗ ବନ୍ଧୁ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀ ।

 

ଶାସନଯନ୍ତ୍ରର ମୁଖ୍ୟ କର୍ତ୍ତା ରୂପେ ଡି. ଭେଲେରା ଦୈନନ୍ଦିନ ଶାସନପରିଚାଳନା କାର୍ଯ୍ୟରେ ନିଜର ସମସ୍ତ ସମୟ ନିୟୋଜିତ କରନ୍ତି । ସେ ପ୍ରତ୍ୟହ ସକାଳ ସାଢ଼େ ନଅଟା ବା ଦଶଟା ବେଳେ ଅଫିସକୁ ଯାଆନ୍ତି । ତାଙ୍କ ଅଧୀନରେ ଥିବା ସବୁ ବିଭାଗର ମୁଖ୍ୟତମ କର୍ମଚାରୀମାନଙ୍କ ସହିତ ନିଜ ନିଜ ବିଭାଗର ସମସ୍ତ ବିଷୟ ଆଲୋଚନା କରି ସେମାନଙ୍କୁ ଯଥୋପଯୁକ୍ତ ନିର୍ଦ୍ଦେଶ ଦିଅନ୍ତି । ଅତି କ୍ଷୁଦ୍ର ବ୍ୟବସ୍ଥା ପ୍ରତି ମଧ୍ୟ ସେ ନିଜେ ଦୃଷ୍ଟି ଦିଅନ୍ତି-। ମଧ୍ୟାହ୍ନଭୋଜନ ପାଇଁ ମଝିରେ ଘଣ୍ଟାଏ ଦେଢ଼ଘଣ୍ଟା ଘରକୁ ଆସିବା ଛଡ଼ା ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ରହି ସେ ଅଫିସରେ ବରାବର କାର୍ଯ୍ୟ କରୁଥାନ୍ତି । ବିଶେଷ ଆବଶ୍ୟକ ବେଳେ ରାତି ବାରଟା ପର୍ଯ୍ୟନ୍ତ ମଧ୍ୟ ସେ ଅଫିସରେ ବସି କାର୍ଯ୍ୟ କରିଥାନ୍ତି । ଅସୁସ୍ଥ ନ ହେଲେ ସେ ସାଧାରଣତଃ କାର୍ଯ୍ୟରୁ କେବେହେଲେ ମନ ଖୁସିରେ ଅବକାଶ ଗ୍ରହଣ କରନ୍ତି ନାହିଁ । ଡି. ଭେଲେରା କେବେ କୌଣସି ମାଦକଦ୍ରବ୍ୟ ସେବନ କରନ୍ତି ନାହିଁ । ଦେଶର ଦରିଦ୍ର ଜନସାଧାରଣଙ୍କ ଖାଦ୍ୟପେୟ ସହିତ ଡି. ଭେଲେରାଙ୍କ ଖାଦ୍ୟପେୟର କିଛିମାତ୍ର ପ୍ରଭେଦ ନ ଥାଏ । ରୁଟି ଓ ମାଖନ ଛଡ଼ା ସେ ଅନ୍ୟ ମୂଲ୍ୟବାନ ଖାଦ୍ୟ ପ୍ରାୟ ଖାଆନ୍ତି ନାହିଁ ।

ଡି. ଭେଲେରାଙ୍କ ପାରିବାରିକ ଜୀବନ ଖୁବ୍‌ ସୁଖମୟ ଓ ଶାନ୍ତିପ୍ରଦ । ତାଙ୍କ ପତ୍ନୀ ସାଇନିଡ଼୍‌ ପ୍ଳୀନାଗାନ୍‌ଙ୍କ ପରି ଆଦର୍ଶ ସହଧର୍ମିଣୀ ଅତି ବିରଳ ଦେଖାଯାନ୍ତି । ସେ ନିଜେ ଉଚ୍ଚ ଶିକ୍ଷିତା । ୧୯୨୫ ମସିହା ପର୍ଯ୍ୟନ୍ତ ଡି. ଭେଲେରାଙ୍କୁ ବୈବାହିକ ଜୀବନର ଅଧିକାଂଶ ସମୟ କାରାଗାରରେ ବା ଅଜ୍ଞାତବାସରେ ଅତିବାହିତ କରିବାକୁ ପଡ଼ିଥିଲା । ସୁତରାଂ ସାତଗୋଟି ସନ୍ତାନଙ୍କ ରକ୍ଷଣାବେକ୍ଷଣ ଏବଂ ଶିକ୍ଷାଦାନାଦିର ଭାର ସମ୍ପୂର୍ଣ୍ଣରୂପେ ମିସେସ୍‌ ଡି. ଭେଲେରାଙ୍କ ଉପରେ ନ୍ୟସ୍ତ ଥିଲା । ସେ ନିଜେ ଶିକ୍ଷୟିତ୍ରୀ କାର୍ଯ୍ୟ କରି ପରିବାରର ବ୍ୟୟ ନିର୍ବାହ କରୁଥିଲେ ଏବଂ କୌଣସି ଭୃତ୍ୟ ନ ରଖି ସମସ୍ତ ଗୃହକାର୍ଯ୍ୟ ସ୍ୱହସ୍ତରେ ସମ୍ପାଦନ କରୁଥିଲେ । ଡି. ଭେଲେରା ଆୟର୍‌ଲାଣ୍ଡର ପ୍ରେସିଡେଣ୍ଟ ହେବା ପରେ ଏବେ ଗୃହକାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଗୋଟିଏ ମାତ୍ର ମହିଳା ଭୃତ୍ୟ ତାଙ୍କ ପରିବାରରେ ନିଯୁକ୍ତ ହୋଇଛନ୍ତି ।

ଡି. ଭେଲେରା ପ୍ରସିଡେଣ୍ଟ ହେବା ଉତ୍ତାରୁ ମିସେସ୍‌ ଡି. ଭେଲେରାଙ୍କୁ ସରକାରୀ ଡିନର, ଟି ପାର୍ଟି ପ୍ରଭୃତି ସାମାଜିକ ଭୋଜି ମଜଲିସ୍‌ ଆଦିର ଗତାନୁଗତିକ ରୀତି ରକ୍ଷାକରି ନେତୃତ୍ୱ ନେବାକୁ ପଡ଼ିଲା । ମାତ୍ର ସର୍ବଦା ସରଳ ଗାର୍ହସ୍ଥ୍ୟ ଜୀବନରେ ଅଭ୍ୟସ୍ତ ମିସେସ୍‌ ଡି. ଭେଲେରାଙ୍କୁ ଏହା ବଡ଼ ଅଡ଼ୁଆ ଲାଗିଲା । ସେଥିପାଇଁ ସେ କହିଥିଲେ-ଏସବୁ ସାମାଜିକ ବିଧାନମାନ ତୁଲାଇବା ଲାଗି ସରକାର ‘ଡ଼େଭ୍’ଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ଅଫିସିଆଲ ପତ୍ନୀର ବ୍ୟବସ୍ଥା କରିଦେଲେ ମୁଁ ଏସବୁ ଜଞ୍ଜାଳରୁ ନିଷ୍କୃତି ପାଇ ବିଶେଷ ଆନନ୍ଦିତ ହୁଅନ୍ତି ।

ଡି. ଭେଲେରାଙ୍କ ସନ୍ତାନମାନେ ସମସ୍ତେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଜ୍ୟେଷ୍ଠପୁତ୍ର ଭିଭିୟାନ୍‌ ଆୟର୍‌ଲାଣ୍ଡର ଜାତୀୟ ବିଶ୍ୱବିଦ୍ୟାଳୟରୁ ଏମ୍‌.ଏ ଡିଗ୍ରୀ ଲାଭକରି ଡବ୍‌ଲିନ୍‌ ୟୁନିଭର୍‌ସିଟି କଲେଜରେ ଡିମନ୍‌ଷ୍ଟ୍ରେଟର ରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କ ଜ୍ୟେଷ୍ଠା କନ୍ୟା ମଧ୍ୟ ଜାତୀୟ ବିଶ୍ୱବିଦ୍ୟାଳୟର ଜଣେ ଗ୍ରାଜୁଏଟ । ଅନ୍ୟ ସନ୍ତାନମାନେ ବର୍ତ୍ତମାନ ସ୍କୁଲ କଲେଜରେ ପଢ଼ୁଛନ୍ତି । ଡି. ଭେଲେରାଙ୍କର ଗୋଟିଏ ପୁତ୍ର ବ୍ରିୟାନ୍‌ ୧୯୩୬ ମସିହାରେ ଘୋଡ଼ା ଉପରୁ ଖସି ପ୍ରାଣ ହରାଇଥିଲେ ।

ଡି. ଭେଲେରାଙ୍କର ବର୍ତ୍ତମାନ ବୟସ ୬୧ ବର୍ଷ । ସମସ୍ତ ଜୀବନ ନିଜ ଦେଶର ସେବାରେ ବିନିଯୋଗ କରି ଦେଶବାସୀଙ୍କ ଚିରପୋଷିତ ଲକ୍ଷ୍ୟ ସ୍ୱାଧୀନଗଣତନ୍ତ୍ର ପ୍ରତିଷ୍ଠାଦ୍ୱାରା ପୃଥିବୀର ପରାଧୀନ ଦେଶମାନଙ୍କ ସମ୍ମୁଖରେ ସେ ଯେଉଁ ଉଚ୍ଚ ଆଦର୍ଶ ସ୍ଥାପନ କରିଅଛନ୍ତି, ତାହା ପୃଥିବୀର ଦାସତ୍ୱ ଶୃଙ୍ଖଳାବଦ୍ଧ ଜାତିମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ସର୍ବଦା ପ୍ରୋତ୍ସାହିତ କରିବ—ସନ୍ଦେହ ନାହିଁ ।

Image